Unknown

 

 

 

 

 

 

 

 

 

 

 

ଉତ୍କଳ ଗୌରବ ମଧୁସୂଦନ

ଭାଗୀରଥି ନେପାକ

 

ଜୀବନ ଓ ଜୀବନୀ

 

ସେତେବେଳେ ଓଡ଼ିଆ ଜାତି ଥିଲା ସତ, କିନ୍ତୁ ଓଡ଼ିଶା ବୋଲି କୌଣସି ଦେଶ ନ ଥିଲା-। ଓଡ଼ିଆ ଭାଷା ଓ ଜାତିଟାକୁ ସର୍ବହରା କରିବାର ରୀତିମତ ଚକ୍ରାନ୍ତ ଚାଲିଥିଲା । ଓଡ଼ିଆ ଜାତିର ବର୍ତ୍ତମାନ ଅତୀତ ଓ ଭବିଷ୍ୟତକୁ ତଳିତଳାନ୍ତ କରିଦେବାକୁ ଷଣ୍ଢୁଆସି ଆକ୍ରମଣ ଯେତେବେଳେ ତୀବ୍ର ଆକାର ଧାରଣ କରିଥିଲା, ନିଜର ଓଜସ୍ୱିନୀ ଭାଷା, ଶାଣିତ ଲେଖନୀ ଓ ଅସୀମ ଧୈର୍ଯ୍ୟ ନେଇ ଯେଉଁ କେତେ ଜଣ ଜାତୀୟ ସୈନିକ ସେହି ଆକ୍ରମଣର ମୁକାବିଲା କରିବାକୁ ଆଗେଇ ଆସି ଶେଷରେ ତହିଁରେ ଜୟଯୁକ୍ତ ହେଲେ, ଉତ୍କଳଗୌରବ ମଧୁସୂଦନ ଦାସ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ।

ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାକୁ ଜୀବନ ପଣ କରି ସେ ଲଢ଼ିଥିଲେ । ଓଡ଼ିଶାରେ ଜାତୀୟ ଜୀବନର ସ୍ୱପ୍ନ ଦେଖି ସେ ବିଭୋଳ ହେଉଥିଲେ । ଏ ସ୍ୱପ୍ନ କିନ୍ତୁ ସଫଳ ହେଲା ତାଙ୍କ ମୃତ୍ୟୁର ମାତ୍ର ଦୁଇ ବର୍ଷ ପରେ । ସେ ୧୯୩୪ ମସିହା ଫେବୃଆରୀ ମାସର ୪ ତାରିଖ ଦିନ ଇହଲୀଳା ସମ୍ବରଣ କଲେ; କିନ୍ତୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା ୧୯୩୬ ମସିହା ଏପ୍ରିଲ ପହିଲା ଦିନ । ଏହା ଦେଖି ତାଙ୍କର ଅମର ଆତ୍ମା ନିଶ୍ଚୟ ଶାନ୍ତି ଲାଭ କରିଥିବ ।

ସେତେବେଳେ ଓଡ଼ିଶାକୁ ସ୍କୁଲ କଲେଜର ନିତାନ୍ତ ଅଭାବ ଥିଲା । ପାଠପଢ଼ାକୁ ଏକ ବ୍ୟୟବହୁଳ ବିଳାସ ବୋଲି ଧରି ନିଆ ଯାଉଥିଲା । ମଧୁସୂଦନ ଗାଁ ଚାଟଶାଳୀରେ ହିଁ ବିଦ୍ୟା ଆରମ୍ଭ କରିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିବା ପରି ପିଲାଟି ଦିନରୁ ସେ ନିଜର ତୀକ୍ଷ୍ଣ ବୁଦ୍ଧି ଓ ବିଚକ୍ଷଣ ଭାବନାର ପରିଚୟ ଦେଇଥିଲେ । ଚାଟଶାଳୀ ପାଠ ଶେଷ କରି କଟକ ଜିଲ୍ଲା ସ୍କୁଲରେ ଏନ୍‍ଟ୍ରାନ୍‍ସ୍‍ ଆଇ.ଏ. ପଢ଼ିଲେ । ତାଙ୍କୁ ଷୋହଳ ବର୍ଷ ବୟସ ହେଲାବେଳେ ସେ ସେହି ସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ।

ଓଡ଼ିଶାରେ ଗୋଟିଏ ବୋଲି ବି କଲେଜ ନ ଥିଲା । ତେଣୁ କଲେଜ ପାଠ ପଢ଼ିବାକୁ ହେଲେ ଲୋକଙ୍କୁ କଲିକତା ଯିବାକୁ ପଡ଼ୁଥିଲା । କଟକରୁ କଲିକତା ଅନେକ ବାଟ । ଗମନାଗମନର କୌଣସି ସୁବିଧା ନାହିଁ । ରେଳ, ମୋଟରର ଦର୍ଶନ ନାହିଁ । ସମୁଦ୍ର-ପଥରେ ବୁଡ଼ାଜାହାଜ କିମ୍ବା ସ୍ଥଳପଥରେ ଶଗଡ଼ରେ ଯିବାକୁ ହେବ । ପଇସା ନ ଥିଲେ ପାଦରେ ଚାଲି ଚାଲି କଲିକତା ଯିବାକଥା । ସେ ପୁଣି ପନ୍ଦର କୋଡ଼ିଏ ଦିନରୁ ଊଣା ପରିଶ୍ରମରେ ହେବ ନାହିଁ ।

ମଧୁସୂଦନଙ୍କର ଭାରି ଇଚ୍ଛା ଯେ, ସେ କଲେଜରେ ପଢ଼ିବେ । କିନ୍ତୁ କଲିକତା ଖର୍ଚ୍ଚ ତୁଲେଇବାକୁ ସମ୍ୱଳର ନିତାନ୍ତ ଅଭାବ । ପୁଣି ଏତେ ଦୂରବାଟ କଲିକତା ଛାଡ଼ିବାକୁ ତାଙ୍କ ବାପା ମା’ ଏକାନ୍ତ ନାରାଜ । ମଧୁସୂଦନ ବାଧ୍ୟ ହୋଇ କଲେଜପଢ଼ା ଇଚ୍ଛାକୁ ଅବଦମନ କରି ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକ ହେଲେ । ସେଇଠି ଓଡ଼ିଶାର ଆଉ ଦୁଇ ଜଣ ଯୋଗଜନ୍ମାଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହେଲା । ସେମାନେ ହେଲେ ବ୍ୟାସକବି ଫକୀରମୋହନ ଓ ଯୁଗସ୍ରଷ୍ଟା ରାଧାନାଥ ରାୟ । ସେହି ବାଲେଶ୍ୱର ଜିଲ୍ଲା ସ୍କୁଲରେ ମଧୁସୂଦନଙ୍କୁ ଦୁଇ ବର୍ଷ କାଳ କଟେଇବାକୁ ପଡ଼ିଥିଲା ।

ଦୁଇ ବର୍ଷପରେ ପୁଣି ଏକ ସୁଯୋଗ ଆସି ଜୁଟିଗଲା । ମଧୁସୂଦନ ଶିକ୍ଷକତା ପଦ ତ୍ୟାଗ କରି ଉଚ୍ଚଶିକ୍ଷା ସକାଶେ କଲିକତା ଅଭିମୁଖେ ଯାତ୍ରା କଲେ । ଘରୁ ଟଙ୍କା ପଇସା ମିଳିବାର ସୁବିଧା ନାହିଁ । ତଥାପି ମଧୁସୂଦନ ଅନେକ କଷ୍ଟ ସ୍ୱୀକାର କରି ନିଜ ଚେଷ୍ଟାରେ ଏମ୍‍.ଏ. ପଢ଼ିଲେ । ଏହି ସମୟରେ ସେ ଏକ ଖ୍ରୀଷ୍ଟିଆନ୍ ଅନୁଷ୍ଠାନରୁ ମାସିକ ଆଠ ଟଙ୍କା କରି ସାହାର୍ଯ୍ୟ ପାଉଥିଲେ ।

ସେତେବେଳେ ଆଠ ଟଙ୍କାର ସାହାଯ୍ୟ କିଛି କମ୍ ସାହାଯ୍ୟ ନୁହେଁ । ମଧୁସୂଦନ ସେହିଦିନଠାରୁ ଖ୍ରୀଷ୍ଟିଆନ୍ ଧର୍ମପ୍ରତି ଆକୃଷ୍ଟ ହେଲେ ଓ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରି ଜଣେ ବଙ୍ଗାଳୀ ଖ୍ରୀଷ୍ଟିଆନ୍ ମହିଳାଙ୍କୁ ବିବାହ କଲେ ।

ଏହିପରି ଭାବରେ କଲିକତାରେ ସେ ଏମ୍.ଏ. ଓ ଓକିଲାତି ପାଠ ପଢ଼ି କୃତିତ୍ୱ ହାସଲ କରିଥିଲେ । ମଧୁବାବୁ ହିଁ ଓଡ଼ିଶାର ସର୍ବପ୍ରଥମ ଏମ୍.ଏ. ପାଶ୍ କରିଥିବା ଓଡ଼ିଆ ।

କଲିକତାର ଟାର୍ଡ଼େନ୍‍ରିଚ୍‍ ସ୍କୁଲର ପ୍ରଧାନ ଶିକ୍ଷକରୂପେ ମଧୁବାବୁ ମୁତୟନ ହୋଇଥିଲେ । ଏହି ସ୍କୁଲରେ ସାର୍ ଆଶୁତୋଷ ମୂଖାର୍ଜୀଙ୍କୁ ସେ ଛାତ୍ର ରୂପରେ ଲାଭ କରିଥିଲେ-। କିଛି ଦିନପରେ ଶିକ୍ଷକତା ପରିତ୍ୟାଗ କରି କଲିକତାରେ ସ୍ୱାଧୀନ ଓକିଲ ବ୍ୟବସାୟ ଆରମ୍ଭ କଲେ-

ପରେ ପେର ତାଙ୍କୁ ଓଡ଼ିଶାର ମୋହ ବ୍ୟାକୁଳ କଲା । ସେ କଲିକତାରେ ଆଉ ରହି ପାରିଲେ ନାହିଁ । ୧୮୮୦ ମହିହାରେ ସେ କଲିକତା ତ୍ୟାଗ କରି କଟକ ଆସିଲେ ଓ କଟକରେ ଓକିଲାତି ଆରମ୍ଭ କଲେ । ସାତ ବର୍ଷ ପରେ ସେ ହାଇକୋର୍ଟରେ ଓକିଲାତି କରିବାର ଅଧିକାର ପାଇ ଆଡ଼ଭୋକେଟ ରୂପେ ପରିଚିତ ହେଲେ ।

ସେତେବେଳେ ସାରା ଓଡ଼ିଶାରେ ଜଣେ ବି ଓକିଲ ନ ଥିଲେ । ମଧୁବାବୁ ହେଲେ କଟକରେ ପ୍ରଥମ ଓଡ଼ିଆ ଓକିଲ । ଓକିଲାତି କାମରେ ସେ ଅତ୍ୟନ୍ତ ଧୁରନ୍ଧର ଥିଲେ । କେଶ୍ ଲଢ଼ିଲାବେଳେ ନିଜ ବିଚକ୍ଷଣତା ବଳରେ ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ପକାଉଥିଲେ । ବଡ଼ରୁ ସାନ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ବଡ଼ ଓକିଲ ବୋଲି ଜାଣୁଥିଲେ । ତାଙ୍କର କାର୍ଯ୍ୟଦକ୍ଷତା ହେତୁ ତାଙ୍କ ନାମ ସର୍ବତ୍ର ପ୍ରଚାରିତ ହୋଇଥିଲା । ଓକିଲାତିରୁ ସେ ବହୁ ଅର୍ଥ ଉପାର୍ଜନ କରିବାକୁ ଲାଗିଲେ । ବହୁତ ବଡ଼ ବଡ଼ କେଶ୍ ଲଢ଼ି ତହିରେ ଯଶସ୍ୱୀ ହେବାର ଗୌରବ ହାସଲ କରି ମଧୁବାବୁ କେବଳ ଓଡ଼ିଶାରେ ନୁହେଁ, ଦେଶ–ବିଦେଶରେ ମଧ୍ୟ ପରିଚିତ ହେଲେ । ଜଗନ୍ନାଥ ମନ୍ଦିରକୁ ରାଜାଙ୍କର ପ୍ରତ୍ୟକ୍ଷ କର୍ତ୍ତୃତ୍ୱରେ ରଖିବାର କୃତିତ୍ୱ ହାସଲ କରି ସେ ସମଗ୍ର ଓଡ଼ିଆ ଜାତିର ଧନ୍ୟବାଦର ପାତ୍ର ହୋଇଥିଲେ ।

ଓକିଲାତିରୁ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ମଧ୍ୟ, ଦେଶର ଉନ୍ନତି ଓ ଗରିବ ଦୁଃଖୀଙ୍କୁ ସାହାଯ୍ୟ ଦେବାରେ ତାଙ୍କର ଆୟର ଅଧିକାଂଶ ଭାଗ ବ୍ୟୟ କରୁଥିଲେ । ତାରି ଫଳରେ ସେ ଜୀବନସାରା କିଛି ହେଲେ ସଞ୍ଚୟ କରିପାରି ନ ଥିଲେ; ବରଂ ମୃତ୍ୟୁ ବେଳକୁ ତାଙ୍କୁ ନାନା ଅଭାବ ଅସୁବିଧାର ତାଡ଼ନା, ଲାଞ୍ଛନା ଭୋଗ କରିବାକୁ ପଡ଼ିଥିଲା ।

ମଧୁବାବୁଙ୍କ ସମୟରେ ବଙ୍ଗ, ବିହାର ଓ ଓଡ଼ିଶା ମିଶି ଗୋଟିଏ ପ୍ରଦେଶ ଥିଲା । କଲିକତା ଏହାର ରାଜଧାନୀ ଥିଲା । ଓଡ଼ିଶା ଏହି ମିଳିତ ପ୍ରଦେଶର ଗୋଟିଏ ଡିଭିଜନ୍‍ ମାତ୍ର ଥିଲା ଓ ଜଣେ କମିସନରଙ୍କଦ୍ୱାରା ଶାସିତ ହେଉଥିଲେ । ପୁଣି ସମଗ୍ର ଓଡ଼ିଶା ଏହି ଡିଭିଜନ୍ ଭିତରେ ନ ଥିଲା । ଏହାର କେତେକାଂଶ ବିହାର ଡିଭିଜନ୍ ଭିତରେ ରହି ବିହାର କମିସନରଙ୍କ ଦ୍ୱାରା ଶାସିତ ହେଉଥିଲା । ପୁଣି ଆଉ ଏକ ଅଂଶ ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶର ଅନ୍ତର୍ଗତ ଥିଲା । ଏହିପରି ଭାବରେ ଓଡ଼ିଶାଟା ଖଣ୍ତ ବିଖଣ୍ତ ହୋଇ ପଡ଼ିଥିଲା । ମଧୁବାବୁ ବୁଝିଥିଲେ ଯେ, ସମଗ୍ର ଓଡ଼ିଶାକୁ ଏକାଠି କରି ଏକ-ଶାସନାଧୀନରେ ରଖିଲେ ଯାଇ ଏ ଜାତିର ଉନ୍ନତି ସମ୍ଭବ ହେବ ।

କିନ୍ତୁ ଏ କଥା କରିବ କିଏ ? ଇଂରେଜ ଶାସକକୁ କିଏ କହିବ ଯେ ତୁମେ ଭୁଲ କରୁଛ । ଆଜିକାଲି ପରି ଖବରକାଗଜର ନାଁ ଗନ୍ଧ ନାହିଁ । ସଭା ସମିତିର ସୁବିଧା ନାହିଁ । ମଧୁବାବୁ ସ୍ଥିର କଲେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଏ କଥା ଇଂରେଜ ଶାସକଙ୍କ କାନକୁ ନେବେ । ସେହି ମର୍ମରେ ସେ ‘ଉତ୍କଳ ସମ୍ମିଳନୀ’ ନାମକ ଏକ ଜାତୀୟ ଅନୁଷ୍ଠାନ ସ୍ଥାପନ କଲେ ।

କେବଳ ସେତିକି ନୁହେଁ, ଦେଶରେ ଶିଳ୍ପ-ବାଣିଜ୍ୟର ଉନ୍ନତି ନ ହେଲେ ଲୋକଙ୍କର ଅବସ୍ଥାର ଉନ୍ନତି ହେବ ନାହିଁ ବୋଲି ତାଙ୍କର ଦୃଢ଼ ଧାରଣା ଥିଲା । ଓଡ଼ିଶା ଶିଳ୍ପ-ବାଣିଜ୍ୟ କ୍ଷେତ୍ରରେ କେମିତି ପ୍ରସିଦ୍ଧି ଲାଭ କରି ପାରିବ ସେଥିପାଇଁ ସେ ବିଶେଷ ଧ୍ୟାନ ଦେଲେ । କପା ଚାଷ କରିବା ଅରଟରେ ସୂତା କାଟିବା, ନିଜ ହାତରେ ଲୁଗା ବୁଣିବା ପ୍ରଭୃତି ଛୋଟ ଛୋଟ କୁଟୀର ଶିଳ୍ପଠାରୁ ଆରମ୍ବ କରି ବଡ଼ ଚମଡ଼ା କାରଖାନା, ତାରକସି କାମରେ କାରଖାନା ଆଦି ଅନେକ ବ୍ୟବସାୟ ସେ ଆରମ୍ଭ କରିଥିଲେ । ଲାଭ-କ୍ଷତିର ହିସାବ ଉପରେ ବିଶେଷ ଦୃଷ୍ଟି ନ ଦେଇ, ଲୋକଙ୍କୁ ତାଲିମ ଦେଇ ସୁଦକ୍ଷ କାରିଗର କରି ଗଢ଼ିବା ଓ ତାଙ୍କରି ଉଦ୍ୟୋଗର ଜିନିଷକୁ ପୃଥିବୀ ପ୍ରସିଦ୍ଧ କରିବାର ଲକ୍ଷ୍ୟ ନେଇ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଆ ଜାତିର ଖ୍ୟାତିକୁ ଆଖି ଆଗରେ ରଖି ସେ ନିଜର ଅର୍ଜିତ ଅସଂଖ୍ୟ ଧନ-ସମ୍ପଦ ପାଣିପରି ଖର୍ଚ୍ଚ କରୁଥିଲେ ।

ସେ ସମୟରେ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତରେ ଇଂରେଜ ଶାସନ ଦୃଢ଼ ଥିଲା-। ଇଂରେଜ ଶାସନ ବିରୁଦ୍ଧରେ ପାଟି ଫିଟାଇବାକୁ କେହି ହେଲେ ସାହସ କରୁ ନ ଥିଲେ; କିନ୍ତୁ ମଧୁବାବୁ ନିର୍ଭୟରେ ଏ ଜାତିର ଅଭାବ ଅସୁବିଧାକୁ ଇଂରେଜ ଶାସନକର୍ତ୍ତାଙ୍କ ଆଗରେ ବାଢ଼ି ପ୍ରତିକାର ଲୋଡ଼ୁଥିଲେ । ମଧୁବାବୁଙ୍କ ପରି ସୁବକ୍ତାଙ୍କ ସଂଖ୍ୟା ଅତି କମ୍ । ସେ ତାଙ୍କର ଓଜସ୍ୱିନୀ ବକ୍ତୃତା ବଳରେ ସମସ୍ତଙ୍କୁ ପ୍ରଭାବିତ କରିପାରୁଥିଲେ । ଆଜିକାଲିକାର ନେତାଙ୍କ ପରି ବୃଥା ପ୍ରତିଶ୍ରୁତି ଦେଇ ଜନତାକୁ ନିଜ ପ୍ରତି ଆକୃଷ୍ଟ କରିବା ଇଚ୍ଛା ତାଙ୍କର ନ ଥିଲା । ସେ ଯାହା କହୁଥିଲେ, ତାକୁ କାର୍ଯ୍ୟରେ ପରିଣତ କରୁଥିଲେ ।

ତାଙ୍କ ସମୟରେ ମଧୁବାବୁ ହିଁ ଓଡ଼ିଶାର ଏକମାତ୍ର ନେତା ଥିଲେ । ସରକାର ମଧ୍ୟ ତାଙ୍କ ନେତୃତ୍ୱକୁ ସ୍ୱୀକାର କରୁଥିଲେ । ସେ ବହୁବାର ବଙ୍ଗ ଓ ବିହାର-ଓଡ଼ିଶା ବ୍ୟବସ୍ଥା ସଭାର ସଦସ୍ୟ ହୋଇଥିଲେ । କେବଳ ସେତିକି ନୁହେଁ, ୧୯୨୧ ମସିହାରେ ସେ ବିହାର-ଓଡ଼ିଶାର ମନ୍ତ୍ରୀରୂପେ ମନୋନୀତ ହୋଇଥିଲେ । ଓଡ଼ିଆଙ୍କ ମଧ୍ୟରେ ସେ ସର୍ବପ୍ରଥମ ମନ୍ତ୍ରୀ-ପଦବୀ ଲାଭ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ମନ୍ତ୍ରୀ–ପଦବୀ ତାଙ୍କର ବ୍ୟକ୍ତିତ୍ୱକୁ କ୍ଷୁଣ୍ଣ କରିପାରି ନ ଥିଲା । ମନ୍ତ୍ରୀମାନେ ଦରମା ନ ନେଇ ମାଗଣାରେ କାମ କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ ଓ ସେ ପ୍ରସ୍ତାବ ଗୃହୀତ ନ ହେବାରୁ ମାତ୍ର ଦୁଇ ବର୍ଷ ପରେ ସେ ପ୍ରତିବାଦ ସ୍ୱରୂପ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁନର୍ବାର ସ୍ୱାଧୀନ ଜୀବନକୁ ଫେରି ଆସିଲେ । ଓଡ଼ିଶାର ସମସ୍ୟାକୁ ତନ୍ନତନ୍ନ ଭାବରେ ବିଲାତ ପାର୍ଲିଆମେଣ୍ଟ ଆଗରେ ଉପସ୍ଥାପନ କରିବାକୁ ସେ ଦୁଇ ଥର ବିଲାତ ପର୍ଯ୍ୟନ୍ତ ଯାଇଥିଲେ-। କେବଳ ସେତିକି ନୁହେଁ, ଓଡ଼ିଆ ଜାତିର ଅଭାବ–ଅସୁବିଧାକୁ ଯଥାଯଥ ଭାବରେ ପରିବେଷଣ କରି ଇଂରେଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ‘ଓଡ଼ିଆ’ ନାମକ ଏକ ଇଂରାଜୀ ସାପ୍ତାହିକ ପ୍ରକାଶ କରିଥିଲେ ।

ମଧୁବାବୁଙ୍କ କଥା ଯେମିତି ଟାଣ ଥିଲା, କଲମ ମୁନ ସେମିତି ଶକ୍ତ ଥିଲା । ପୁଣି ‘ଉତ୍କଳ ସମ୍ମିଳନୀ’ ଉପଲକ୍ଷେ ସେ ଯେଉଁ କେତୋଟି କବିତା ରଚନା କରିଥିଲେ, ତାହା ଓଡ଼ିଆ ସାହିତ୍ୟର ବିଶିଷ୍ଟ ଜାତୀୟ ସମ୍ପତ୍ତି ରୂପେ ଏବେ ମଧ୍ୟ ପରିଗଣିତ ହୋଇ ଆସୁଛି । ଏହି କବିତାଗୁଡ଼ିକର ଆତ୍ମା ହେଲା ଦେଶପ୍ରେମ ଓ ପ୍ରଗାଢ଼ ଜାତୀୟତା । ଏଥିରେ ବିପ୍ଳବୀ କବିର ନିଛକ ସ୍ୱାକ୍ଷର ସଂରକ୍ଷିତ ।

ପ୍ରତ୍ୟେକ ଓଡ଼ିଆକୁ ସେ ନିଜର ପରିବାରର ଲୋକପରି ସ୍ନେହ ପ୍ରଦର୍ଶନ କରୁଥିଲେ । ଅସହାୟକୁ ସାଧ୍ୟମତେ ସାହାଯ୍ୟ କରିବା ତାଙ୍କ ଜୀବନର ବ୍ରଜ ଥିଲା । ତାଙ୍କର ବ୍ୟକ୍ତିଗତ ଜୀବନ ଅତୀବ ମହତ୍ ଥିଲା ଓ ତହିଁରେ ହୀନମନ୍ୟତାର ଛାଇ ସୁଦ୍ଧା ବାଜି ନ ଥିଲା । ଓଡ଼ିଶାର ଅନେକ ଲୋକ ତାଙ୍କ ସଂସ୍ପର୍ଶରେ ଆସି ମଣିଷ ହୋଇଛନ୍ତି ।

ଖାଇବା–ପିଇବାରେ ସେ ଖୁବ୍ ନିୟମ ନିଷ୍ଠା ମାନି ଚଳୁଥିଲେ; କିନ୍ତୁ ଏ ନିୟମ ଅତିଥି ଅଭ୍ୟାଗତମାନଙ୍କ ପାଇଁ ଉଦ୍ଦିଷ୍ଟ ନ ଥିଲା । ସେ ଆଗନ୍ତୁକମାନଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରି ସନ୍ତୋଷ ଲାଭ କରୁଥିଲେ । ସତ୍ୟନିଷ୍ଠତା, ନ୍ୟାୟପରାୟଣତା, ସମୟାନୁବର୍ତ୍ତିତା ପ୍ରଭୃତି ତାଙ୍କର ଆଉ କେତୋଟି ସଦ୍‍ଗୁଣ ଥିଲା ।

ମଧୁବାବୁ ବହୁ ବିଷୟରେ ପ୍ରଥମେ ଓଡ଼ିଆ ରୂପେ ପ୍ରସିଦ୍ଧ । ସେ ପ୍ରଥମ ଓଡ଼ିଆ ଏମ୍.ଏ. ପଢ଼ିଥିବା ବ୍ୟକ୍ତି, ପ୍ରଥମ ବିଲାତ ଫେରନ୍ତା ଓଡ଼ିଆ ପ୍ରଥମ ସର୍ବଭାରତୀୟ ସ୍ତରର ନେତା, ବକ୍ତା ଓ ସ୍ୱତନ୍ତ୍ର ଓଡ଼ିଶାର ଭାଗ୍ୟ ବିଧାତା ।

ଏଇ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ମାସ ୨୮ ତାରିଖରେ । ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ମାତାଙ୍କ ନାମ ପାର୍ବତୀ ଦେବୀ । କଟକ ଜିଲ୍ଲାର ସତ୍ୟଭାମାପୁରରେ ସେ ଜନ୍ମ ଗ୍ରହଣ କରିଥିଲେ ।

ସେ ଆଜି ଇହଧାମରେ ନାହାନ୍ତି ସତ; କିନ୍ତୁ ପ୍ରତ୍ୟେକ ଶିକ୍ଷିତ ଓଡ଼ିଆ ତାଙ୍କୁ ମନେ ରଖିଛନ୍ତି । ସେ ଓଡ଼ିଶାର ଜାତୀୟ ଜୀବନର ପ୍ରଥମ ପ୍ରତିଷ୍ଠାତା । ତାଙ୍କରି କଳ୍ପନାର ଓଡ଼ିଶା ଆଜି ସ୍ୱତନ୍ତ୍ର ପ୍ରଦେଶ ରୂପେ ସ୍ୱୀକୃତି ଲାଭ କରିଛି ଓ ଶିଳ୍ପ-ବାଣିଜ୍ୟ କ୍ଷେତ୍ରରେ ଦିନକୁ ଦିନ ବିକାଶ ଲାଭ କରୁଛି । ଉତ୍କଳଗୌରବ ମଧୁସୂଦନଙ୍କ ଆଶୀର୍ବାଦ ଲାଭ କରି ଆଜିର ଓଡ଼ିଶା ଦେଶ-ବିଦେଶରେ ଯେ ଦିନେ ଚରମ ଖ୍ୟାତି ଲାଭ ନ କରିବ, ଏ କଥା କିଏ କହିବ ?

Image

 

ମଧୁବାବୁଙ୍କ ଉଦବୋଧନ
(ଉଦବୋଧନ ବକ୍ତୃତାର ସାରାଂଶ)

 

ଏକ ବୃକ୍ଷର ଜୀବନ ତୁମର ଆଦର୍ଶ ହେଉ । ବୃକ୍ଷ କୋଟି କୋଟି ମାଇଲ ଦୂରରେ ଥିବା ସୂର୍ଯ୍ୟଠାରୁ ଆଲୋକ ପାଏ । ଏହି ଆଲୋକରୁ ସେ ଶକ୍ତି ସଂଗ୍ରହ କରେ । ହିମାଳୟର ଶୀତଳ ପବନ ଓ ମରୁ ଦେଶର ତପ୍ତ ବାୟୁ ଏହା ଉପରେ ପ୍ରବାହିତ ହୁଏ । ଉଭୟଙ୍କ ଠାରୁ ସମାନ ଭାବରେ ସେ ଶକ୍ତି ସଂଗ୍ରହ କରେ । ସେମାନେ ବୃକ୍ଷର ପ୍ରକୃତିକୁ ବଦଳାଇ ପାରନ୍ତି ନାହିଁ । କାରଣ ଏହାର ଚେର ମାଟିର ଗଭୀର ତଳକୁ ଯାଇଛି ଓ ସେଠାରୁ ସର୍ବାଧିକ ଶକ୍ତି ସଂଗ୍ରହ କରୁଛି । ତୁମର ପ୍ରକୃତିରେ ଦେଶ ପ୍ରେମର ଚେର ଗଭୀର ଭାବରେ ପ୍ରୋତ୍‍ଥିତ ହେଉ । ଏହି ଚେର ତୁମ ଜାତିର ଇତିହାସର ଗଭୀର ତଳକୁ ଯାଇ ସେଠାରୁ ଶକ୍ତି ଓ ପ୍ରେରଣା ସଂଗ୍ରହ କରୁ । ତାହାହେଲେ ବିଦେଶୀୟ ସଭ୍ୟତା ଓ ସଂସ୍କୃତି ତୁମର ପ୍ରକୃତିକୁ ବଦଳାଇ ପାରିବ ନାହିଁ । ବରଂ ତୁମକୁ ଅଧିକ ଶକ୍ତି ଓ ସହାୟତା ହେବ ।

 

ଦେଶ ପ୍ରେମ

 

ମୂଳରୁ ଶେଷ ପର୍ଯ୍ୟନ୍ତ ମନୁଷ୍ୟ ଜୀବନକୁ ପର୍ଯ୍ୟବେକ୍ଷଣ କରି ମୁଁ ମନେ କରେ, ଦେଶ ପ୍ରେମର ମୌଳିକ ତତ୍ତ୍ୱ ହେଉଛି ଆତ୍ମୋତ୍ସର୍ଗ । ଏହା ଏକ ପବିତ୍ର ଭାବନା । ଅନ୍ୟ ଦେଶ, ଜାତି ପ୍ରତି ଘୃଣା ବା ପ୍ରତିହିଂସା ଦେଶପ୍ରେମ ମଧ୍ୟରେ ଯାଏ ନାହିଁ । ପ୍ରକୃତ ଦେଶ ପ୍ରେମୀ ନିଜ ଦେଶ ଓ ଜାତିକୁ ନିଶ୍ଚୟ ଶ୍ରଦ୍ଧା କରିବ; କିନ୍ତୁ ଅନ୍ୟ ଦେଶ ବା ଜାତିକୁ ଘୃଣା କରିବ ନାହିଁ । ସ୍ୱଦେଶ ପ୍ରେମିକ ଆବଶ୍ୟକ ହେଲେ ନିଜ ଦେଶ ପାଇଁ ଜୀବନ ଦେଇ ଦେବ, କିନ୍ତୁ ଅନ୍ୟମାନଙ୍କ ବିରୁଦ୍ଧରେ ନିଜର ହସ୍ତକୁ କଳଙ୍କିତ କରିବ ନାହିଁ । ଅନ୍ୟମାନଙ୍କ ପତନ କାମନା କରି ତୁମେ ନିଜର ଉତ୍‍ଥାନ କରି ପାରିବ ନାହିଁ । ଅନ୍ୟମାନଙ୍କର ଜୀବନ ନେଇ ତୁମେ ନିଜର ଜୀବନ କାଳ ବଢ଼ାଇ ପାରିବ ନାହିଁ ।

 

ଯୁବକ ଅବସ୍ଥା ହେଉଛି ଜୀବନର ପ୍ରକୃଷ୍ଟ ସମୟ, ଯେତେବେଳେ ମନୁଷ୍ୟ ବାଲ୍ୟ ଓ ଶୈଶବର ସ୍ୱାର୍ଥପରତା ପରିତ୍ୟାଗ କରି ଆତ୍ମୋତ୍ସର୍ଗ, ନିଃସ୍ୱାର୍ଥପରତାର ମନୋରମ ବେଶ ପରିଧାନ କରେ । ଜୀବନର ଏହି ସମୟରେ ଅନ୍ୟମାନଙ୍କୁ ସୁଖୀ କରାଇବା ପାଇଁ ଏକ ସ୍ୱଭାବସିଦ୍ଧ ଭାବନା ପ୍ରକାଶ ପାଏ, ଯେପରି କି ବସନ୍ତର ଆଗମନରେ ବୃକ୍ଷମାନ ପଲ୍ଲବିତ ହୋଇ ସମସ୍ତ ପ୍ରାଣୀଙ୍କୁ ଆନନ୍ଦିତ କରନ୍ତି ।

 

ଦେଶପାଇଁ ବଞ୍ଚିବାକୁ ଶିଖ; ଅନ୍ୟମାନଙ୍କ ପାଇଁ ବଞ୍ଚି ରହି ନିଜେ ସୁଖୀ ହୁଅ । ବୃକ୍ଷ ମୃତ୍ତିକା ବାୟୁ ଓ ସୂର୍ଯ୍ୟାଲୋକରୁ ବର୍ଷଯାକ ଶକ୍ତି ସଂଗ୍ରହ କରେ, କାରଣ ପ୍ରାଣୀମାନଙ୍କୁ ଏହା ସୁମିଷ୍ଟ ଫଳଦାନ କରିପାରିବ । ବାୟୁମଣ୍ତଳକୁ ନିଜର ସୁବାସରେ ମହକାଇ ଦେବା ପାଇଁ ଫୁଲ ତାର ସମସ୍ତ ଶକ୍ତିକୁ ଢାଳିଦିଏ । ମନୁଷ୍ୟକୁ ଆଲୋକ ଦେବା ପାଇଁ ବତୀ ନିଜକୁ ଜାଳି ପୋଡ଼ି ପାଉଁଶ କରି ଦିଏ । ବିରାଟ ଉଜ୍ଜ୍ୱଳ ଜ୍ୟୋତିଷ୍କ ସୂର୍ଯ୍ୟ ପୂର୍ବ ଦିଗ୍‍ଭାଗରୁ ଉଦିକ ହୋଇ କୋଟି କୋଟି ପ୍ରାଣୀଙ୍କୁ ଜୀବନ ଓ ଆଲୋକ ଦେବା ପାଇଁ ପ୍ରତ୍ୟହ ତା’ର ଯାତ୍ରା ଆରମ୍ଭ କରେ । ତୁମର ଯୌବନ ହେଉ ଆତ୍ମୋତ୍ସର୍ଗ ମୂଳକ ଜୀବନର ପ୍ରଭାତ । ତୁମେ ଯେଉଁ କ୍ଷେତ୍ରରେ ରହ ନା କାହିଁକି, ଅନ୍ୟମାନଙ୍କୁ ସୁଖୀ କରିବା ପାଇଁ ନିଜର ଜୀବନକୁ ଢାଳି ଦିଅ ।

 

ଅଧିକାଂଶ ଲୋକଙ୍କର ଜୀବନ ନିଜର ପରିବାରର ଉନ୍ନତି ମଧ୍ୟରେ ସୀମାବଦ୍ଧ ହୁଏ । କିନ୍ତୁ ଯେଉଁମାନେ ମନୁଷ୍ୟ ଜୀବନର ପ୍ରକୃତ ଲକ୍ଷ୍ୟ ଜାଣନ୍ତି, ସେମାନଙ୍କ ପାଇଁ ଜୀବନ ଏତିକିରେ ସୀମାବଦ୍ଧ ନୁହେଁ । ସେମାନେ ସମାଜର ମଙ୍ଗଳ, ଜାତିର ମଙ୍ଗଳ, କେହି କେହି ପୃଥିବୀର ସମସ୍ତ ଜାତିର ମଙ୍ଗଳରେ ନିଜର ଜୀବନକୁ ଉତ୍ସର୍ଗ କରନ୍ତି ।

 

ଦୀନ, ଦୁଃଖୀଙ୍କ ଉନ୍ନତି

 

ଯଦି ସର୍ବାନ୍ତଃକରଣରେ ଦେଶର ଉନ୍ନତି କରିବାକୁ ଇଚ୍ଛା କର, ତା’ହେଲେ ଭାରତମାତାଙ୍କ ପବିତ୍ର ନାମରେ ଉତ୍କଳ ଜନନୀଙ୍କ ସ୍ନେହମୟ ନାମ ଉଚ୍ଚାରଣ କର । ମୁଁ ତୁମକୁ ପ୍ରାର୍ଥନା କରୁଚି, ଦେଶର ଦୀନ, ଦୁଃଖୀ ଲୋକଙ୍କୁ ଭୁଲିଯାଅ ନାହିଁ । ଏମାନଙ୍କୁ ଛାଡ଼ି କୌଣସି ଦେଶର ଉନ୍ନତି ହୋଇ ପାରିବ ନାହିଁ । କୌଣସି ଦେଶ ସଭ୍ୟତାର ସୋପାନରେ ଉଠି ପାରିବ ନାହିଁ । ଯେତେ ବଡ଼ ଶିକ୍ଷିତ ହେଲେ ମଧ୍ୟ ଯେ ଜନସାଧାରଣଙ୍କ ଠାରୁ ନିଜକୁ ଉଚ୍ଚରେ ରଖେ, ତା’ର ଶିକ୍ଷା, ଶିକ୍ଷା ନୁହେଁ; ସେ ଅଧମ ଶ୍ରେଣୀର, ସେ ମୂର୍ଖ ପଦବାଚ୍ୟ ।

 

ଲୋକେ କହନ୍ତି ଓଡ଼ିଶା ଗରିବ । ମୁଁ କହେ, କଦାପି ନୁହେଁ । ବର୍ତ୍ତମାନ କଲିକତା ନାଗପୁର ପ୍ରଭୃତି ସ୍ଥାନର କଳ, କାରଖାନାରେ ଲକ୍ଷ ଲକ୍ଷ ଓଡ଼ିଆ କାମ କରୁଛନ୍ତି, ଏହାର ଅର୍ଥ, ଓଡ଼ିଆର ହାତରେ ମୂଲ୍ୟ ଅଛି, ଯେଉଁ ମୂଲ୍ୟ ବାହାରର ଲୋକେ ଖାଇ ଯାଉଛନ୍ତି ।

 

ଧନ, ଜନ, ମନ, ଅର୍ଥାତ୍ ଅର୍ଥ, କାୟିକ ପରିଶ୍ରମ ଓ ବୁଦ୍ଧି ଏହି ତିନୋଟି ଏକତ୍ର ହେଲେ ଶିଳ୍ପର ଅଭିବୃଦ୍ଧି ସୁନିଶ୍ଚିତ । ଜଣେ ବ୍ୟକ୍ତିଠାରେ ଏହି ତିନି ଶକ୍ତି ଯଥେଷ୍ଟ ପରିମାଣରେ ମିଳିବା ସମ୍ଭବ ନୁହେଁ । ଏହି ହେତୁରୁ ତିନି ଶ୍ରେଣୀର ଲୋକ ଏକତ୍ର ହୋଇ ୟୁରୋପରେ ଶିଳ୍ପର ଉନ୍ନତି କରିଛନ୍ତି । ଶିଳ୍ପ କ୍ଷେତ୍ରରେ ପାଶ୍ଚାତ୍ୟ ଜଗତ ସହିତ ଆମକୁ ପ୍ରତିଯୋଗୀତା କରିବାକୁ ହେବ ଏବଂ ସେଠାରେ ଯାହା ସବୁ ଉତ୍ପନ୍ନ ହେଉଚି, ଆମକୁ ତାହା ଉତ୍ପନ୍ନ କରିବାକୁ ହେବ ।

 

ବର୍ତ୍ତମାନ ଯେଉଁ ବ୍ୟକ୍ତି ବିଶ୍ୱାସ କରେ, ଶିଳ୍ପର ଉନ୍ନତି ଦ୍ୱାରା ଓଡ଼ିଶାର ଉନ୍ନତି ହେବ, ସେ ଆପଣାର ପରିଶ୍ରମ, ବୁଦ୍ଧି ଓ ଧନକୁ ବଳିଦାନ ସ୍ୱରୂପ ସେ କାର୍ଯ୍ୟରେ ଅର୍ପଣ କରୁ । ଲାଭର ଆଶା ତ୍ୟାଗ କରୁ । ହୋଇପାରେ, ସେ ଦରିଦ୍ର ଅବସ୍ଥାରେ ପ୍ରାଣ ତ୍ୟାଗ କରିବ । କିନ୍ତୁ ସେ ଯେଉଁ ଉନ୍ନତିର ମଞ୍ଜି ପୋତିଦେଇ ଯିବ, ତାର ଫଳ ଉତ୍କଳର ସନ୍ତାନସନ୍ତତିମାନେ ଭବିଷ୍ୟତରେ ଭୋଗ କରି ପାରିବେ । ଜଣକର ମୃତ୍ୟୁରେ ଜାତିର ଜୀବନ ସମୃଦ୍ଧ ହୁଏ । ଏହା ହେଉଛି ପ୍ରକୃତିର ନିୟମ-

 

ଭଗ୍ନ ଜାହାଜର କପ୍ତାନ

 

ମୁଁ ସ୍ୱଦେଶୀ ଶିଳ୍ପ ସଂଗଠନ କ୍ଷେତ୍ରରେ ଜଣେ କର୍ମୀ । ଦେଶର ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ମୁଁ ଏ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିଲି । ମୁଁ ଜାଣେ ମୁଁ ବିଫଳ ହୋଇଚି, ତଥାପି ମୁଁ ଶିଳ୍ପ କ୍ଷେତ୍ରରେ ମୋର ପ୍ରଚେଷ୍ଟା ଛାଡ଼ି ନାହିଁ । ଜାହାଜ କପ୍ତାନର ଉପଦେଶର ମୂଲ୍ୟ ହେଉଚି, ସେ ଦେଖାଇ ଦେଇ ପାରନ୍ତି, କେଉଁଠାରେ ପଥର ଦ୍ୱାରା ତାଙ୍କର ଜାହାଜ ନଷ୍ଟ ହୋଇଥିଲା । ମୋ ଉପଦେଶର କ’ଣ ସେତିକି ମୂଲ୍ୟ ନାହିଁ ? ଭାରତରେ ଶାରୀରିକ ଶ୍ରମ ପ୍ରତି ଯେଉଁ ତାଚ୍ଛଲ୍ୟ ଓ ଅବହେଳା, ତାହା ଦୂର କର । ଶାରୀରିକ ଶ୍ରମର ମର୍ଯ୍ୟଦା ଅନୁଭବ ନ କଲେ ଜାତିର ଉନ୍ନତି ନାହିଁ ।

 

ମୋର ଦୀର୍ଘ ଆଶା ପୂରଣ ହେବାର ମୁଁ ଦେଖୁଛି । ମୁଁ ଯେତେବେଳେ ଆନ୍ଦୋଳନ ଆରମ୍ଭ କରିଥିଲି, ତା’ଠାରୁ ଏକ ଦୀର୍ଘ କଠିନ ସମୟ ମଧ୍ୟରେ ଆମେ ଗତି କରି ଆସିଲୁଣି । ମୋତେ ଏପରି ଲୋକଙ୍କ ସହିତ ସଂଘର୍ଷ କରିବାକୁ ପଡ଼ିଥିଲା, ଯେଉଁମାନେ ଧନୀ ବୁଦ୍ଧିମାନ୍‍ ଓ କ୍ଷମତାଶାଳୀ ଥିଲେ । ଉପରେ ଈଶ୍ୱର ଓ ହୃଦୟରେ ବିବେକ ଘେନି ମୋତେ ଏକୁଟିଆ ଲଢ଼ିବାକୁ ପଡ଼ିଥିଲା । ମୋତେ ଦିନେ ଜଣାଗଲା, ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ମୁଣ୍ତରେ ଓଡ଼ିଆ ଜାତିକୁ ମିଳିତ କରିବାର ଚିନ୍ତା ଦେବାରେ ଭଗବାନଙ୍କର ଏକ ମହତ୍ ବାର୍ତ୍ତା ଅଛି । ମୁଁ ଚିନ୍ତା କଲି ଓ ଦେଖିଲି ଯେ ଇତିହାସ ମୋ’ ପଛରେ ଅଛି ।

 

ଏପରି କି ଓଡ଼ିଆ ରାଜାମାନେ ନିଜକୁ ଓଡ଼ିଆ ବୋଲି କହିବାକୁ ଲଜ୍ଜା ବୋଧ କରୁଥିଲେ ଏବଂ ଓଡ଼ିଆ ସ୍କୁଲ ଛାତ୍ରମାନେ ନିଜକୁ ବଙ୍ଗାଳୀ ବୋ ଲି ଚିହ୍ନାଇ ଦେଉଥିଲେ । ଜଣେ ଜଣାଶୁଣା ରାଜା ଯାହାଙ୍କ ନାମ ସହିତ କଟକର ଏକ ପ୍ରଧାନ ହଲର ନାମ ସଂପୃକ୍ତ (ଶ୍ରୀ ରାମଚନ୍ଦ୍ର ଭଞ୍ଜ) ବଙ୍ଗଳାରେ ବଙ୍ଗାଳୀ ବୋଲି ପରିଚିତ ହେଉଥିଲେ । ମୁଁ ତାଙ୍କ ସହିତ ଦିନେ ରାତିରେ ଆଠଟାରୁ ଗୋଟାଏ ଯାଏଁ କଥାବାର୍ତ୍ତା କରିଥିଲି । ମୁଁ ତାଙ୍କୁ କହିଲି “ରାଜା, ମୁଁ ଆପଣଙ୍କୁ ଓଡ଼ିଆ କରିବାକୁ ପ୍ରତିଜ୍ଞାବଦ୍ଧ ।” ସେ ପ୍ରଥମ ଉତ୍କଳ ସମ୍ମିଳନୀର ସଭାପତି ହୋଇଥିଲେ ।

 

ବଣିକ ଜାତି ହିସାବରେ ଇଂରେଜମାନେ ଟଙ୍କା ଚାହୁଁ ଥିଲେ । କର୍ମଚାରୀମାନେ ଭାଷା କିମ୍ବା ଅନ୍ୟ କୌଣସି ବିଷୟ ତନ୍ନତନ୍ନ କରି ଦେଖୁ ନ ଥିଲେ । ବଙ୍ଗବାସୀମାନେ ଶାସନ ପରିଚାଳନା ଶିକ୍ଷା କରୁଥିଲେ, ମୁସଲମାନ ରାଜତ୍ୱ କାଳରୁ ସେମାନେ ଏଥିରେ ଅଭ୍ୟସ୍ତ ଥିଲେ । ବ୍ରିଟିଶ୍‍ମାନେ ଏମାନଙ୍କୁ ଧରି ଏକ ମଧ୍ୟବର୍ତ୍ତୀ ଶାସକ ସଂପ୍ରଦାୟ ଗଢ଼ିଲେ । ବଙ୍ଗବାସୀମାନେ ଆମକୁ ଚାପି ରଖିବା ପାଇଁ ଇଂରେଜନମାନଙ୍କ ସହିତ ମିଶି ଯାଇଥିଲେ ।

 

କେବଳ ଅସ୍ଥିଗଦା

 

ମୁଁ କେବଳ ଅସ୍ଥି, ଅସ୍ଥିଗଦା ଚାରିଆଡ଼େ ଦେଖୁଥିଲି ଏବଂ ଏହି ଅସ୍ଥି କାଙ୍ଗାଳକୁ ଜୀବନ ଦେବାର ବାର ମୁଁ ଗ୍ରହଣ କରିଥିଲି । ଏମାନଙ୍କ ଅସ୍ଥିରେ ମାଂସପେଶୀ ଦେଲି । ବାହୁରେ ଯୁଦ୍ଧ କରିବାର ଗୋଳା ବାରୁଦ ଦେଲି । କିନ୍ତୁ ଉପରୁ ଭଗବାନଙ୍କ ବ୍ୟତୀତ ମୁଁ କାହାରି ସାହାଯ୍ୟ ପାଇ ନ ଥିଲି ।

 

ମୁଁ ଓଡ଼ିଆ ଜାତିର ପ୍ରଥମ ଏମ୍.ଏ. । ମୁଁ ପ୍ରଥମ ଓଡ଼ିଆ ଓକିଲ ଓ ପ୍ରଥମ ଆଡ଼୍‍ଭୋକେଟ୍‍ । ୟୁରୋପକୁ ପ୍ରଥମ ଓଡ଼ିଆ ଯାତ୍ରୀ । ପ୍ରାଦଶିକ ଓ ଭାଇସ୍‍ରିଆଲ ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ସଭ୍ୟ, ପ୍ରଥମ ଓଡ଼ିଆ ମନ୍ତ୍ରୀ ଓ ମନ୍ତ୍ରୀତ୍ୱ ପରିତ୍ୟାଗ କରିବାରେ ପ୍ରଥମ ଭାରତୀୟ ମନ୍ତ୍ରୀ । ଭାରତର ପ୍ରଥମ ଗ୍ରାଜୁଏଟ୍‍ ଏତେ କାମ କରିନାହାନ୍ତି, ଯାହା ମୁଁ କରିଛି । ବଙ୍ଗର ପ୍ରଥମ ଗ୍ରାଜୁଏଟ୍‍ ଜଣେ ପେନ୍‍ସନ୍‍ପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ ଭାବରେ ମରିଗଲେ । ଆଜି ମୋ’ ଜୀବନର ଲକ୍ଷ୍ୟ ଯାହା, ଅର୍ଦ୍ଧ ଶତାବ୍ଦୀ ପୂର୍ବେ ବି ସେଇଆ ଥିଲା–ତାହା ହେଉଛି ଉତ୍କଳକୁ ପୃଥିବୀର ଆଖି ଆଗକୁ ଆଣିବା । ଯଦି ପ୍ରଥମ ଗ୍ରାଜୁଏଟ୍ ଏତେ କରିପାରିଲା, ତେବେ ଅନ୍ୟ ବଂଶଧରମାନେ ଆହୁରି ଅନେକ କାମ କରିପାରିବେ, ଯଦି ସେମାନଙ୍କ ଦାୟିତ୍ୱ ସେମାନେ ବୁଝନ୍ତି । ବ୍ୟକ୍ତିଗତ ଭାବରେ ନୁହେଁ, ଜାତିର ଜଣେ ବୋଲି ଜାଣି ସେମାନେ ସେମାନଙ୍କ ଦାୟିତ୍ୱ ଉପଲବ୍ଧି କରିବା ଉଚିତ ।

 

ଯେତେବେଳେ ମୃତ୍ୟୁ ଶଯ୍ୟାରେ ସଂସାର ସହିତ ମୋର ସମ୍ପର୍କ ଛିନ୍ନ ହେବ ଏବଂ ମୋର ଆତ୍ମାକୁ ଈଶ୍ୱର ପଚାରିବେ, ‘ତୁ ତୋର ଜାତି ପ୍ରତି କର୍ତ୍ତବ୍ୟ କାର୍ଯ୍ୟ କିପରି କରିଛୁ’, ସେତେବେଳେ ମୋର ଆତ୍ମା ଯଦି କହିପାରେ, ଯଥାସାଧ୍ୟ ମୋ’ ଜାତିର ସେବା କରିବାକୁ ମୁଁ ଚେଷ୍ଟା କରିଛି, ତା’ ହେଲେ ଦୀନ, ଦରିଦ୍ର ଅବସ୍ଥାରେ ଜନଶୂନ୍ୟ ସ୍ଥାନରେ ମୋର ଶଯ୍ୟା ଥିଲେ ମଧ୍ୟ ମୁଁ ନିଜେକୁ ସୁଖୀ ବୋଲି ମନେ କରିବି ।

Image

 

(ମଧୁବାବୁଙ୍କ ବିଷୟରେ ଗଳ୍ପ କେତୋଟି)

 

ବିଚକ୍ଷଣ ବାରିଷ୍ଟର

(ବିଲାତରେ ଜାଗା କିଣା)

 

ଓଡ଼ିଶା ଧୋଇ ମରୁଡ଼ିର ଦେଶ । ଅଭାବ-ଅନାଟନ ଏହାର ଚିର ସହଚର । ଏ ଜାତିର ଦୁଃଖ-ଦୁର୍ଦ୍ଦଶା ଅନେକ ।

 

ଇଂରେଜ ଅମଳରେ ଏ ଦେଶଟାକୁ ଭାଗ ଭାଗ କରି ବିଭିନ୍ନ ଡିଭିଜନ ସଙ୍ଗରେ ମିଶାଇ ଦିଆ ଯାଇଥିଲା । ସମଗ୍ର ଓଡ଼ିଶାକୁ ଏକାଠି କରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଢ଼ିବେ ବୋଲି ବାରିଷ୍ଟର ମଧୁବାବୁ ମନସ୍ଥ କରିଥିଲେ; କାରଣ ସେ ବୁଝିଥିଲେ, ସମଗ୍ର ଜାତିକୁ ଏକାଠି ନ କଲେ, ଏ ଜାତି ଉଧେଇବ ନାହିଁ ।

 

ଥରେ ଓଡ଼ିଶାର ବିଭିନ୍ନ ସମସ୍ୟାକୁ ଲୋକସଭା ଆଗରେ ଉପସ୍ଥାପିତ କରିବେ ବୋଲି ମଧୁବାବୁ ବିଲାତ ଯାଇଥିଲେ । ସେ ସମୟରେ ବିଲାତ ଯିବା କମ୍ କଥା ନୁହେଁ । ପୁଣି ଲୋକସଭା ଆଗରେ ଛିଡ଼ା ହୋଇ କଥା କହିବା ଓ ଯୁକ୍ତି ବାଢ଼ିବା ଆଉ ଏକ ଅସାଧ୍ୟ ବ୍ୟାପାର; କିନ୍ତୁ ମଧୁବାବୁଙ୍କ ପକ୍ଷରେ କୌଣସି କଥା ଅସାଧ୍ୟ କି ଅସମ୍ଭବ ନ ଥିଲା । ସେ ବିଲାତ ଦେଶକୁ ଯାଇ ବେଶ୍ କିଛି ଦିନ ଅଟକି ଗଲେ ।

 

କିନ୍ତୁ ମଧୁବାବୁଙ୍କ ପରି ବାରିଷ୍ଟର କୌଣସି ସ୍ଥାନରେ ଚୁପ୍‍ଚାପ୍ ହୋଇ ବସିବା ଅତ୍ୟନ୍ତ ଅସମ୍ଭବ ବ୍ୟାପାର । ସେ ସେଇଠି ବସି ବସି ଇଂରାଜୀ ଦେଶର ଆଇନ କାନୁନ୍‍ ସବୁ ମନ ଦେଇ ପଢ଼ିବାକୁ ଲାଗିଲେ । ମଧୁବାବୁ ପୋଖତ ବାରିଷ୍ଟର । ବ୍ରିଟିଶ୍ ନିୟମ କାନୁନକୁ ଅତି ଅଳ୍ପ ସମୟ ମଧ୍ୟରେ ସେ ହଜମ କରିନେଲେ । କିନ୍ତୁ ଜମିବାଡ଼ି କିଣିବିକା ନିୟମ ପଢ଼ୁ ପଢ଼ୁ, ସେହି ନିୟମରେ ଥିବା କେତୋଟି ମୌଳିକ ଭୁଲ୍‍ ଉପରେ ତାଙ୍କର ଦୃଷ୍ଟି ପଡ଼ିଗଲା । ସେ ସେଇ ଭୁଲ୍‍ଟାକୁ ଇଂରାଜୀ ଜାତିର ଦୃଷ୍ଟି ଆକର୍ଷଣ କରିବା ସକାଶେ ନୂଆ ଫିକରଟିଏ ବାହାର କଲେ ।

 

ସେତେବେଳେ ବିଲାତ ଦେଶର ନିୟମ-କାନୁନରେ ଲେଖା ଥିଲା ଯେ, ଗୋଟିଏ ଜମିକୁ ତଳ ଉପର କରି ବିଭିନ୍ନ ଲୋକ ଖରିଦ କରିପାରିବେ । ଜମିମାଲିକ ଭୂମିସଂଲଗ୍ନ ସ୍ଥାନରୁ ନିର୍ଦ୍ଦିଷ୍ଟ କେତେ ଅଂଶ ବିକିବା ପରେ ତା ଉପର ଅଂଶକୁ ପୁଣି ଅନ୍ୟ ଜଣକ ପାଖରେ ବିକ୍ରି କରିପାରିବ । ମଧୁବାବୁଙ୍କୁ ଏ କଥା କେମିତି ଅଡ଼ୁଆ ଅଡ଼ୁଆ ଲାଗିଲା । ତାଙ୍କର ଦୃଢ଼ ଧାରଣା ହେଲା ଯେ, ସେହି ନିୟମରେ ଗୁରୁତର ତ୍ରୁଟି ରହିଛି; କିନ୍ତୁ କାର୍ଯ୍ୟରେ ଦେଖାଇ ନ ଦେଲା ପର୍ଯ୍ୟନ୍ତ ସେମିତି ମୁହେଁ ମୁହେଁ କହିଲେ ଇଂରାଜୀ ଜାତି ଶୁଣିବ ନାହିଁ ।

 

ମଧୁବାବୁ ନିୟମ ଅନୁସାରେ ଭୂମିସଂଲଗ୍ନ ଜମିରୁ ନିର୍ଦ୍ଦିଷ୍ଟ କେତେକ ଜମି ଖରିଦ କଲେ-। ସରକାରୀ କାଗଜ-ପତ୍ରରେ ସେହି ଜମିର ଲମ୍ବ, ଓସାର ଓ ଉଚ୍ଚତା ଉଲ୍ଲେଖ ରହିଲା । ମଧୁବାବୁ ନିର୍ଦ୍ଦିଷ୍ଟ ଲମ୍ବ ଓସାରକୁ ନେଇ ଘର କରିବାକୁ କାନ୍ଥ ପକାଇଲେ; କିନ୍ତୁ ଘରଟାକୁ ସେ ସଂପୂର୍ଣ୍ଣ ନ କରି ଅଧା ବାଟରେ ବନ୍ଦ କରିଦେଲେ ।

 

ମଧୁବାବୁଙ୍କ ପରେ ଆଉ ଜଣେ ଭଦ୍ର ବ୍ୟକ୍ତି ତାଙ୍କ ଜାଗାରେ ଉପର ଅଶଂରୁ ନିର୍ଦ୍ଦିଷ୍ଟ କେତେ ଅଂଶ କିଣି କବଲା କରିଥାନ୍ତି । ମଧୁବାବୁଙ୍କ ଘର ସଂପୂର୍ଣ୍ଣ ହେଲେ ସେ ତାରି ଉପରେ ନିଜ ଘର ତୋଳିଥାନ୍ତେ; କିନ୍ତୁ ମଧୁବାବୁଙ୍କ ଘରତୋଳା ସଂପୂର୍ଣ୍ଣ ହେଲେ ତ ? ଭଦ୍ରଲୋକ ବିଚାରଳୟର ଆଶ୍ରୟ ଗ୍ରହଣ କଲେ ।

 

ମଧୁବାବୁ ବିଚାରପତିଙ୍କ ସାମନାରେ ନିଜର ଯୁକ୍ତି ବାଢ଼ି ଦର୍ଶାଇଲେ ଯେ, ବିଲାତି ଦେଶର ଆଇନରେ ନିର୍ଦ୍ଦିଷ୍ଟ ଉଚ୍ଚତାବିଶିଷ୍ଟ ସ୍ଥାନ କିଣି ତାକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସଂପୂର୍ଣ୍ଣ କରିବାର କୌଣସି ନିର୍ଦ୍ଦେଶ ନାହିଁ । ତେଣୁ ସେ ନିଜର ସୁବିଧାମତେ ଘର ତୋଳିବେ । ବିଚାରପତି ମଧୁବାବୁଙ୍କ ଯୁକ୍ତିର ଯଥାର୍ଥତା ହୃଦୟଙ୍ଗମ କରି ଜମି କିଣାବିକା ନିୟମରେ ଯେ ଗୁରୁତର ତ୍ରୁଟି ରହିଯାଇଛି; ସେ କଥା ସ୍ୱୀକାର କଲେ । ସରକାର ପୁଣି ଥରେ ପ୍ରଚଳିତ ଆଇନରେ ପରିବର୍ତ୍ତନ କରି ସଂଯୋଗ କଲେ ଯେ, ଯିଏ ଯେତେ ଲମ୍ବା, ଓସାର ଓ ଉଚ୍ଚତା ବିଶିଷ୍ଟ ଜମି କ୍ରୟ କରିବ ତହିଁରେ ତାକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରିବାକୁ ହେବ ।

 

ଏଇ ଗୋଟିଏ କେଶ୍ ଯୋଗୁ ବାରିଷ୍ଟର ମଧୁବାବୁଙ୍କ ଖ୍ୟାତି ସାରା ବିଲାତରେ ବୃଦ୍ଧି ପାଇଥିଲା । ସେ ସେଥର ସୁନାମ ନେଇ ଓଡ଼ିଶାକୁ ଫେରି ଆସିଥିଲେ ।

Image

 

ନିଃସହାୟର ବନ୍ଧୁ

 

ବାରିଷ୍ଟର ମଧବାବୁ ଦିନେ ନିଜ କଚେରୀ ଘରେ ଏକୁଟିଆ ବସି ଆଇନକାନୁନ୍‍ ବହିରେ ଗଭୀର ମନୋନିବେଶ କରିଥାନ୍ତି ଜଣେ ବୁଢ଼ୀ ଆସି ତାଙ୍କ ସାମନାରେ ହାଜର ହେଲା ।

 

“କ’ଣ ଦରକାର ?’’ ମଧୁବାବୁ ପ୍ରଶ୍ନ କଲେ ।

 

“ତୋ ନାଁ ମଧୁବାରିଷ୍ଟର ତ ପୁଅ ?” ବୁଢ଼ୀ ଓଲଟା ପ୍ରଶ୍ନ କଲା ।

 

“ହଁ, ମୋ ନାଁ ମଧୁବାରିଷ୍ଟର ।” ମଧୁବାବୁ ଉତ୍ତର ଦେଲେ ଓ ଅପରିଚିତା ଆଡ଼କୁ ଆଶ୍ଚର୍ଯ୍ୟ ଭଙ୍ଗୀରେ ଚାହିବାକୁ ଲାଗିଲେ ।

 

ତୋତେ ଭଗବାନ୍‍ କୋଟି ପରମାୟୁ ଦିଅନ୍ତୁ ପୁଅ । ଆଶା ନ ଥିଲା, ତୋ ସଙ୍ଗରେ ଏତେ ଶୀଘ୍ର ଦେଖାହେବ । ଅପେକ୍ଷା କରିବି ବୋଲି ଗାଁରୁ ଚୂଡ଼ାଚାଉଳ ଗଣ୍ଠାଇ କଟକ ସହରକୁ ଧାଇଁ ଆସିଥିଲି । ଯାହା ହେଉ, ତୋ’ ସଙ୍ଗରେ ଦେଖାହେଲା, ଜୀବନ ବଞ୍ଚିଗଲା !” ବୁଢ଼ୀ ଏକାଥରକେ ଅନେକ କଥା ଆପଣା ଛାଏଁ ବକିଗଲା ।

 

“କିନ୍ତୁ ମୋ ପାଖରେ ତୁମର କି କାମ ମାଉସୀ ?” ମଧୁବାବୁ ସହାନୁଭୂତି ଭରା କଣ୍ଠରେ ପ୍ରଶ୍ନ କଲେ ।

 

“ତୋ ପାଖରେ ମୋର ଅନେକ କାମ ପୁଅ ! ସେଇଥିପାଇଁ ତ ଆସିଲି । ଭାବିଲି, ତୁ ଏକା ମୋତେ ଉଦ୍ଧାର କରି ପାରିବୁ । ଗାଁ ଯାକ ଗୋଟିଏ ପାଖ ହୋଇ ମୋତେ ଏକୁଟିଆ କରିଛନ୍ତି-। ମୋ ଜମିଖଣ୍ତକ ଛଡ଼ାଇ ନେଇ ଖାଇ ଯାଉଛନ୍ତି । ଆପତ୍ତି କଲେ ଠେଙ୍ଗା ବାଡ଼ି ଦେଖାଉଛନ୍ତି । ନିଆଶ୍ରୀ ମାଇପି ଲୋକ ମୁଁ, କାହାରିର ନୁହେଁ । ଭାବିଲି, ତୋରି ପାଖକୁ ଆସି ଦୁଃଖ କହିବି । ତୁ ମୋର ମୋକଦ୍ଦମା ଲଢ଼ିବୁ । ତୁ କୁଆଡ଼େ ଯେଉଁ ମୋକଦ୍ଦମାରେ ହାତ ଦେଉ, ଜିତାପଟ ହୁଏ । ତୁ ମୋତେ ଜଣାଇଦେବୁ ତ ପୁଅ ?”

 

ମଧୁବାବୁ ବୁଢ଼ୀମୁହଁକୁ ସ୍ନେହଭରା ଆଖିରେ ଅନାଇଥାଆନ୍ତି । ସେ ମୁହଁ ଦେଖି ମହକିଲର ଅଭିପ୍ରାୟ ବୁଝିନିଅନ୍ତି । ବୁଢ଼ୀର କଥା ଶୁଣି ତା’ର ଦୁର୍ଯୋଗ କଥା ବୁଝିଲେ । ରହସ୍ୟ କରି ପଚାରିଲେ, “ମୋକଦ୍ଦମା ଲଢ଼ିଲେ ମୋତେ କେତେ ଫିସ୍ ଦେବାକୁ ହୁଏ ଜାଣିଛ ତ ମାଉସୀ-?”

 

ବୁଢ଼ୀ ତତ୍‍କ୍ଷଣାତ୍‍ ତା’ ଲୁଗାକାନିର ଗଣ୍ଠିଲି ଫିଟାଇ ଭୂଇଁ ଉପରେ ଅଜାଡ଼ି ଦେଲା । ତହିଁରେ ଥିଲା ପାଦର ରୂପା ପାଉଁଜି, ହାତର ବଟଫଳ, କାନର ସୁନା ନୋଳି, କପାଳର ମଥାମଣି ଆଦି କେତୋଟି ସୁନା ଓ ରୂପାର ଅଳଙ୍କାର । ତାକୁଇ ଫିସ ଦେବ ବୋଲି ଘରୁ ନେଇ ଆସିଥିଲା । ସବୁ ଗୋଟି ଗୋଟି କରି ସଜାଇ ଦେବାପରେ ପଚାରିଲା, “ଏତିକି ହେବ ତ ପୁଅ ?

 

ମଧୁବାବୁଙ୍କ ଆଖିରେ ଲୁହ ଟଳମଳ ହେଲା । ସେ ସେହି ଗହଣା ସବୁକୁ ପୁଣି ଥରେ ବାନ୍ଧି ନେବାକୁ କହିଲେ ଓ ପଚାରିଲେ, “ତୁମେ ଗୋଟିଏ କାମ କରିବ ମାଉସୀ ?”

 

“କି କାମ କରିବିରେ ପୁଅ ?” ବୁଢ଼ୀ ପ୍ରଶ୍ନ କଲା ।

 

“ମୋକଦ୍ଦମା କରିବା ଦରକାର ନାହିଁ । ତୁମେ ତୁମ ଗାଁକୁ ଫେରିଯାଇ ତୁମ ବିଲରେ ରାସ୍ତା କଡ଼କୁ ଆଣ୍ଠୁଏ ଗଭୀର ଗାତ ଖୋଲିଦିଅ । କାଲି ମୁଁ ଘୋଡ଼ାରେ ବସି ତୁମ ଗାଁକୁ ଯିବି । ସେଠାରେ ତୁମ ଜମି ତୁମକୁ କରାଇଦେବି ।” ମଧୁବାବୁ ଆଶ୍ୱସନା ଦେଲେ ।

 

ବୁଢ଼ୀ ମଧୁବାବୁଙ୍କ କଥାରୁ ବିନ୍ଦୁ-ବିସର୍ଗ କିଛି ହେଲେ ବୁଝିପାରିଲା ନାହିଁ । ଜମି ଭିତରେ ରାସ୍ତାକଡ଼କୁ ଲାଗି ଆଣ୍ଠୁଏ ଖାଲ କଲେ ଜମି ମିଳିବ କେମିତି; ସେ କଥା ନେଇ ସେ ମହାଚିନ୍ତାରେ ପଡ଼ିଲା; କିନ୍ତୁ ଆଉ କିଛି ନ ପଚାରି ନିଜ ଗାଁକୁ ଫେରିଯାଇ ମଧୁବାବୁଙ୍କ କହିବା ପ୍ରକାରେ ନିଜ ଜମିରେ ଗାତଟିଏ ଖୋଳିଲା । ସତକୁ ସତ ମଧୁବାବୁ ପରଦିନ ଘୋଡ଼ାରେ ଚଢ଼ି ବୁଢ଼ୀର ଗାଆଁରେ ଯାଇ ହାଜର ହେଲେ । ଗାଁ ମୁଣ୍ତରେ ଜମି ଭିତରେ ରାସ୍ତାକଡ଼କୁ ଆଣ୍ଠୁଏ ଗଭୀର ଖାଲଟିଏ ଦେଖି, ସେଇଠି ଘୋଡ଼ାରୁ ଓହ୍ଳାଇ ଛିଡ଼ାହେଲେ । ତା’ପରେ ଗାଁ ମୁଖିଆକୁ ଡକାଇ ପଠାଇ କହିଲେ, “ଏ ଜମି କାହାର ? କିଏ ରାସ୍ତାକଡ଼କୁ ଖାଲ କରିଛି ? ମୋ ଘୋଡ଼ା ଖାଲରେ ପଡ଼ି ଖଣ୍ତିଆ ଖାବରା ହେଲା । ମୁଁ ଜମିମାଲିକ ନାଁରେ କେଶ୍ କରିବି । ”

 

ମଧୁବାରିଷ୍ଟର ଆସିବା କଥା ଓ ଜମିମାଲିକ ନାଆଁରେ କେଶ୍ କରିବା କଥା ସଙ୍ଗେ ସଙ୍ଗେ ଗାଁ ସାରା ରାଷ୍ଟ୍ର ହୋଇଗଲା । ମଧୁବାବୁଙ୍କ କେଶ୍‍କୁ ଡରି ଗାଁରୁ ଜଣେ ହେଲେ ଲୋକ ସେ ଜମି ନିଜର ବୋଲି କହିଲେ ନାହିଁ । ବୁଢ଼ୀକୁ ପାନେ ଚଖାଇବା ମତଲବ ରଖି ଅସଲ କଥାଟା କହି ପକାଇଲେ ।

 

ବୁଢ଼ୀକୁ ମଧୁବାରିଷ୍ଟରଙ୍କ ପାଖକୁ ଅଣାହେଲା । ସେ ସମସ୍ତଙ୍କ ଆଗରେ ପ୍ରଶ୍ନ କଲେ, “ଏ ଜମି କ’ଣ ଏଇ ବୁଢ଼ୀର ?”

 

ଉପସ୍ଥିତ ସମସ୍ତ ଲୋକ ସେଇ କଥା ସ୍ୱୀକାର କଲେ ।

 

ସେଇ ମର୍ମରେ ସେ ଗାଁବାଲାଙ୍କ ଠାରୁ ବି ଲେଖାଇ ଆଣିଲେ ।

 

ଶେଷରେ ବୁଢ଼ୀକୁ ଡାକି କହିଲେ, “ମାଉସୀ, ହେଲା ତ ଏଥର ? ତୁମ ଜମି ତୁମେ ଏଥର ସମ୍ଭାଳ; ମୁଁ କଟକ ଫେରିଲି” ।

 

ବୁଢ଼ୀ କୃତକୃତା ହୋଇ ମଧୁବାବୁଙ୍କ ବାହୁଡ଼ାପଥକୁ ଅନାଇ ରହିଥାଏ ।

 

ମାଲିକମୋକଦ୍ଦମା କିଛି ନାହିଁ, ବୁଢ଼ୀର ଜମି ବୁଢ଼ୀକୁ ଆପେ ଆପେ ଆପଣାଛାଏଁ ମିଳିଗଲା ।

Image

 

ନିର୍ଭୀକତା

 

କଟକରେ ସେ ଥର ଭୀଷଣ ବର୍ଷା ହେଉଥାଏ ।

 

ଆଜିକାଲି ପରି ସେତେବେଳେ ପିଚୁଢ଼ଳା ସଡ଼କ କି ସୁବିଧା ରାସ୍ତା ନ ଥିଲା । ବର୍ଷା ହେଲେ କଟକ ସହରର ରାସ୍ତାଘାଟ ବଡ଼ ଅପନ୍ତରା ହୋଇଯାଉଥିଲା । ରାସ୍ତା ଉପରେ ଠାଏ ଠାଏ ପାଣି ଜମି ଚଳପ୍ରଚଳ ହେବାରେ ମହା ଅସୁବିଧା ସୃଷ୍ଟି କରୁଥିଲା ।

 

ଏହିଭଳି ଏକ ବର୍ଷାଦିନଟାରେ ମଧୁବାବୁ ହାତରେ ଛତା ଧରି ଘରକୁ ଫେରୁଥାନ୍ତି । ଠିକ୍ ଏତିକିବେଳେ ଶାସନ ଦାୟିତ୍ୱରେ ଥିବା କଟକ ସହରର ଜଣେ ଇଂରେଜ ଅଫିସରଙ୍କ ମୋଟର ଗାଡ଼ିଟିଏ ରାସ୍ତା ଉପରେ ତୀର ବେଗରେ ଛୁଟିଗଲା ।

 

ଖାଲ ରାସ୍ତାରେ ଜମିଥିବା ମାଟିଆ ପାଣିତକ ମୋଟର ଚକରେ ଦି’ଭାଗ ହୋଇ ଉପରକୁ ଉଠିଯାଇ ତଳେ ଛିଞ୍ଚାଡ଼ି ହୋଇ ପଡ଼ିଲା ।

 

ରାସ୍ତା ଉପରେ ଚାଲି ଯାଉଥିବା ଲୋକମାନେ ହିନସ୍ତାରେ ପଡ଼ିଲେ । ପଙ୍କମାଟି ମିଶା ପାଣି ତାଙ୍କ ଦେହରେ ପଡ଼ି ପିନ୍ଧା ଲୁଗାଜାମାକୁ ମଇଳା କରି ପକାଇଲା ।

 

ମଧୁବାବୁ ମଧ୍ୟ ପଙ୍କମାଟି ମିଶା ଗୋଳିଆ ପାଣିଛିଞ୍ଚଡ଼ାରୁ ନିସ୍ତାର ପାଇଲେ ନାହିଁ । ସେ ମଧ୍ୟ ସମଦୁର୍ଦ୍ଦଶାପନ୍ନ ହେଲେ; କିନ୍ତୁ କାହାକୁ କିଛି ନ କହି ମୋଟର ଗାଡ଼ିର ନମ୍ବର ଟିପି ପକେଟରେ ରଖିଲେ । ଗୋରା ସାହେବ ଗାଡ଼ି ଚଳାଉଥାନ୍ତି । ଅଳ୍ପ କିଛି ବାଟ ବେପରୁଆ ଭାବରେ ମାଡ଼ିଯିବା ପରେ ସେ ପଛକୁ ଆଖି ଫେରାଇ ଦେଖିଲେ, ମଧୁବାବୁ ତାଙ୍କରି ହେତୁ ବିପର୍ଯ୍ୟସ୍ତ ହୋଇଛନ୍ତି । ସେ ସେଇଠି ସଙ୍ଗେ ସଙ୍ଗେ ମୋଟର ଅଟକାଇ ଗାଡ଼ିରୁ ଓହ୍ଲାଇ ପଡ଼ିଲେ ଓ ମଧୁବାବୁଙ୍କ ପାଖକୁ ଆସି କ୍ଷମାଭିକ୍ଷା କଲେ ।

 

ଅନ୍ୟ କେହି ହୋଇଥିଲେ ଗୋରା ସାହେବ କ୍ଷମାଭିକ୍ଷା କରୁଥିବା ଦେଖି କୃତକୃତ୍ୟ ହୋଇଥାନ୍ତା; କିନ୍ତୁ ମଧୁବାବୁ ସେମିତି ଗମ୍ଭୀର କଣ୍ଠରେ କହିଲେ “ମୋତେ ମଧୁବାବୁ ବୋଲି ଚିହ୍ନିପାରି ଗାଡ଼ିରୁ ଓହ୍ଳାଇ ନିଜ ଭୁଲପାଇଁ କ୍ଷମାଭିକ୍ଷା କଲ; କିନ୍ତୁ ରାସ୍ତା ତମାମ୍ କେତେ ଚଲାପଥିକଙ୍କୁ ଏମିତି ଅପଦସ୍ତ କରି କରିକା ଆସିଛ, ବୁଝି ପାରୁଛ ? କାହିଁ ସେମାନଙ୍କୁ ଯାଇ ତ କ୍ଷମାଭିକ୍ଷା କଲ ନାହିଁ ?”

 

ଗୋରା ସାହେବ ମଧୁବାବୁଙ୍କ ପ୍ରଶ୍ନ ଶୁଣି ମୁଣ୍ତ ନୁଆଁଇ ଦୋଷ ସ୍ୱୀକାର କଲେ ଓ ଭବିଷ୍ୟତରେ ସେମିତି ଭୁଲ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ ।

Image

 

ବୁଦ୍ଧିମାନ ପରିଚାଳକ

 

ମଧୁବାବୁ ଓଡ଼ିଆମାନଙ୍କର ଏକମାତ୍ର ନେତା ହିସାବରେ କେବଳ ଜନସାଧାରଣଙ୍କ ଠାରୁ ନୁହେଁ, ଇଂରେଜ ଶାସକମାନଙ୍କଠାରୁ ମଧ୍ୟ ସ୍ୱୀକୃତି ଲାଭ କରିଥାନ୍ତି । କଟକ ସହରର ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ଜାନିଯାତ୍ରା, ଭଲମନ୍ଦ ସବୁ କ୍ଷେତ୍ରରେ ନିଜକୁ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ କରି ଦେଇଥାନ୍ତି । ଯେ କୌଣସି ବିଷୟରେ ନିଷ୍ପତ୍ତି ନେବାକୁ ହେଲେ, ଲୋକେ ମଧୁବାବୁଙ୍କ ମୁହଁକୁ ଅନାଇ ରହିଥାନ୍ତି ।

 

କଟକ ସହର ଓଡ଼ିଶାର ସବୁଠୁଁ ବଡ଼ ସହର । ଲୋକସଂଖ୍ୟା ବି ସର୍ବାଧିକ । ଯେଉଁଠି ଯେତେ ଅଧିକ ଲୋକ, ସେଇଠି ସେତେ ଅଧିକ ସମସ୍ୟା ।

 

ସହର ବାସିନ୍ଦା ସବୁ ବର୍ଷ ଏକାଠି ହୋଇ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷକୁ ଥରେ ଯାତ୍ରା କରନ୍ତି । ଯାତ୍ରାରେ ବିଶେଷ ଲୋକସମାଗମ ହୁଏ । ଯାଗଯଜ୍ଞ ବି ଚାଲେ । ଯାତ୍ରାର ପବିତ୍ରତା ରକ୍ଷା କରିବା ସକାଶେ ପ୍ରତିବର୍ଷ ଯାତ୍ରା ସ୍ଥାନର ଚାରିପଟେ ବାଉଁଶ ବାଡ଼ ପଡ଼େ ।

 

କିନ୍ତୁ ଯାତ୍ରା ସରିଗଲେ ଏତେ ଟଙ୍କା ଖର୍ଚ୍ଚ କରା ହୋଇଥିବା ବାଡ଼ର ଖବର କେହି ରଖନ୍ତି ନାହିଁ । ବିଭା କାମ ବଢ଼ିଗଲେ ବେଦି ମୁହଁକୁ କେହି ନ ଚାହିଲା ପରି, ଯାତ୍ରା ସ୍ଥାନରେ ସୁରକ୍ଷା କଥା କେହି ଚିନ୍ତା ମଧ୍ୟ କରନ୍ତି ନାହିଁ ।

 

ସବୁଠି ଖଳ ଲୋକଙ୍କର ବୁଦ୍ଧି ସମାନ । ଯାତ୍ରା ପରେ ପରେ ବାଉଁଶ ବାଡ଼ କ୍ଷୟ ହୁଏ । ଲୋକେ ତାକୁ ନିର୍ଭୟରେ ଉପାଡ଼ି, ବୋହି ନେଇ ଶେଷ କରି ଦିଅନ୍ତି । ପଚାରିବାକୁ କେହି ନାହିଁ । ଏତେ ଟଙ୍କାର ବାଡ଼ ଦିନ କେଇଟା ଭିତରେ ଜାଳେଣି କାଠ, ବ୍ୟକ୍ତିଗତ ସଂପର୍ତ୍ତିରେ ପରିଣତ ହୁଏ-

 

ମଧୁବାବୁଙ୍କୁ ଏ କଥା ଭଲ ଲାଗିଲା ନାହିଁ । ଜନସାଧାରଣଙ୍କ ଟଙ୍କାକୁ ଏମିତି ଅପବ୍ୟୟ କରି ଖର୍ଚ୍ଚ କରିଦେବା ସପକ୍ଷରେ ସେ ନ ଥିଲେ; କିନ୍ତୁ କାହାକୁ କହିଲେ ଏ କଥା ବୁଝିବ ? ଯାତ୍ରା ତ ବନ୍ଦ କରିହେବ ନାହିଁ; ବରଂ ବ୍ୟୟବହୁଳ ଏହି ବାଡ଼ କଥା ଚିନ୍ତା କରାଯାଇପାରେ ।

 

ମଧୁବାବୁଙ୍କ ମୁଣ୍ତକୁ ଗୋଟିଏ ବୁଦ୍ଧି ଯୁଟିଲା । ଯାତ୍ରା ପୂର୍ବରୁ ସେ ଲୋକ ଲଗାଇ ଯାତ୍ରା ସ୍ଥାନରେ ଜୀଅନ୍ତା କଣ୍ଟାଗଛ ପୋତି ପକାଇଲେ । ଲୋକେ ସେ କଣ୍ଟାଗଛ ଉପାଡ଼ି ଜାଳେଣି କରି ପାରିଲେ ନାହିଁ କି ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇ ପାରିଲେ ନାହିଁ । ବାଡ଼ ସୁରକ୍ଷିତ ରହିଲା । ପ୍ରତିବର୍ଷ ବାଉଁଶ ବାଡ଼ ଖର୍ଚ୍ଚରୁ ମୁକ୍ତି ମିଳିଲା ।

 

ଲୋକେ ମଧୁବାବୁଙ୍କ ବିଚକ୍ଷଣ ବୁଦ୍ଧି ଦେଖି ଧନ୍ୟ ଧନ୍ୟ କହିଲେ ।

Image

 

ପିକଦାନୀ କଥା

 

କଟକର କବି ବାଳକୃଷ୍ଣ ପଟ୍ଟନାୟକ ସାହିତ୍ୟ ଜଗତରେ ଜଣେ ଜଣାଶୁଣା ବ୍ୟକ୍ତି । ତାଙ୍କ ବସାକୁ ଯିଏ ଯାଇଛି, ଅମୂଲ୍ୟ ଧନପରି ସାଇତା ହୋଇଥିବ । ଗୋଟିଏ ପିକଦାନୀ ଦେଖିଛି-

 

ପିକଦାନୀଟାକୁ କବି ବାଳକୃଷ୍ଣ ପଟ୍ଟନାୟକ ଯେ ଏମିତି ଏକ ରତ୍ନପରି ସାଇତି ରଖିଛନ୍ତି କାହିଁକି, ତାହା ସାଧାରଣଙ୍କ ମନରେ କୌତୂହଳ ସୃଷ୍ଟି କରିବା ସ୍ୱାଭାବିକ ।

 

କିନ୍ତୁ ପିକଦାନୀର ଇତିହାସ ପିକଦାନୀ ସାଇତାର ଇତିହାସଠାରୁ ଆହୁରି କୌତୁହଳପୂର୍ଣ୍ଣ ।

 

ମଧୁସୂଦନ ନିଜ ଲେଖାପଢ଼ା ଘରଟିକୁ ମନ୍ଦିରଟିଏ ପରି ମାର୍ଜିତ ଓ ରୁଚିପୂର୍ଣ୍ଣ କରି ସଜାଉଥାନ୍ତି । ସେହି ମନ୍ଦିର ପରି ମାର୍ଜିତ ଘରେ ଖଣ୍ତେ ଟେବୁଲ ପଡ଼ିଥାଏ । ଟେବୁଲ ଉପରେ ଥାଏ ଓଡ଼ିଆ ଘରର ଚିରାଚରିତ ସାଥୀ ଗୋଟିଏ ପିକଦାନୀ । ସକାଳେ ମାଳୀ ଆସି ପ୍ରଥମେ ତାରି ଉପରେ ସଜାଡ଼ି ଦିଏ ସଜ ଗୋଲାପର ଏକ ମନୋରମ ଗୁଚ୍ଛ ।

 

ଦିନେ ଜଣେ ଆଗନ୍ତୁକ ଆସି ମଧୁସୂଦନଙ୍କୁ ତାଙ୍କରି ପଢ଼ାଘରେ ଅପେକ୍ଷା କରି ବସିଥାନ୍ତି । ମାଳୀର ଏପରି ଆଚରଣ ଦେଖି ସେ ବିସ୍ମୟ ପ୍ରକାଶ କଲେ । ଭାବିଲେ, ମାଳୀଟା ପାଗଳ ହୋଇଗଲା ନା କ’ଣ ? ନ ହେଲେ ଏତେ ସୁନ୍ଦର ଗୋଲାପ ଗୁଚ୍ଛକୁ ସାଧାରଣ ପିକଦାନୀରେ ସଜାଇ ରଖନ୍ତା କାହିଁକି ? ମଧୁବାବୁ ଏ ଦୃଶ୍ୟ ଦେଖିଲେ ମାଳୀକୁ କହିବେ କ’ଣ ? ଏଇଆ ତୁଳସୀ ଦୁଇ ପତ୍ରରୁ ବାସେ । ପିଲାବେଳେ ମଧୁବାବୁ ଖୁବ୍ ବୁଦ୍ଧିମାନ ଥିଲେ । ସାଙ୍ଗସାଥୀମାନଙ୍କ କଥା ଦୂରେ ଥାଉ, ଛାତ୍ର ଗୋବିନ୍ଦବଲ୍ଲଭଙ୍କ ବୁଦ୍ଧି ଦେଖି ସ୍କୁଲ ଶିକ୍ଷକମାନେ ବି’ ଡ଼ରି ଯାଉଥିଲେ ।

 

ସେହି ସ୍କୁଲରେ ପଢ଼ିବା ବେଳର କଥା–

 

ସ୍କୁଲର ପ୍ରଧାନ ଶିକ୍ଷକ ଇଂରାଜୀ ପାଠ ପଢ଼ାଉ ପଢ଼ାଉ ଗୋଟିଏ ଶବ୍ଦର ଭୁଲ ଅର୍ଥଟିଏ କହି ପକାଇଲେ । କିନ୍ତୁ ଗୋବିନ୍ଦବଲ୍ଲଭ କି ଛାଡ଼ିବା ପିଲା ? ସେ ଶିକ୍ଷକଙ୍କ ଭୁଲ୍ ଧରା ପକାଇ ଦେଲେ । ଉପଯୁକ୍ତ ଶିକ୍ଷକ ହୋଇଥିଲେ ନିଜ ଭୁଲ୍ ସଂଶୋଧନ କରି ନେଇଥାନ୍ତେ । କିନ୍ତୁ ପ୍ରଧାନ ଶିକ୍ଷକ ଅନ୍ୟ ପ୍ରକୃତିର ମଣିଷ । ସେ ଗୋବିନ୍ଦବଲ୍ଲଭଙ୍କ ଉପରେ ରାଗିଯାଇ ସ୍କୁଲରୁ ତାଙ୍କର ନାଁ କାଟି ଦେଲେ । ପ୍ରଧାନ ଶିକ୍ଷକ ଭାବିଲେ; ମଫସଲୀ ଗୋବିନ୍ଦବଲ୍ଲଭ ଏଥର କାନମୁଣ୍ତ ଆଉଁସି ଗାଁକୁ ଫେରିଯିବ । ତାଙ୍କ ପାଦର କଣ୍ଟା ଯିବ ।

 

କିନ୍ତୁ ଫଳ ହେଲା ଓଲଟା । ଅନ୍ୟାୟ ବିରୁଦ୍ଧରେ ମୁଣ୍ତ ନୁଆଁଇବା ଅଭ୍ୟାସ ଛାତ୍ର ଗୋବିନ୍ଦବଲ୍ଲଭଙ୍କ ଜାତକରେ ନ ଥିଲା । ସେ ସିଧା ଚାଲିଲେ ଇଂରେଜ ହାକିମ ହିଲ୍ ସାହେବଙ୍କ ନିକଟକୁ ।

 

ଇଂରେଜ ହାମିକ ଛାତ୍ର ଗୋବିନ୍ଦବଲ୍ଲଭଙ୍କ ଅଭିଯୋଗକୁ ମନ ଦେଇ ଶୁଣିଲେ । ସେ ଦେଖିଲେ, ଛାତ୍ର ଜଣକର କୌଣସି ଭୁଲ୍ ନାହିଁ । ପ୍ରଧାନ ଶିକ୍ଷକଙ୍କର ସବୁ ଭୁଲ୍ । ପ୍ରଧାନ ଶିକ୍ଷକ ଅଯଥାରେ ରାଗିଯାଇ ତାଙ୍କ ସ୍କୁଲର ଜଣେ ନିର୍ଦ୍ଦୋଷ ଛାତ୍ର ଉପରେ ଅଯଥା ଦୋଷ ଲଦି ଅନ୍ୟାୟ ଆଚରଣ କରିଛନ୍ତି । ଏହା ଦେଖି ସେହି ହାକିମ ସାହେବ ଛାତ୍ର ଗୋବିନ୍ଦଙ୍କୁ ଆଣି ସ୍କୁଲରେ ପୁଣି ଭର୍ତ୍ତି କରି ଦେଲେ ।

 

ଗୋବିନ୍ଦବଲ୍ଲଭ ପୁଣି ଥରେ ସ୍କୁଲରେ ଭର୍ତ୍ତି ହେବା ଦେଖି ଛାତ୍ର ଓ ଶିକ୍ଷକମାନେ ଆଶ୍ଚର୍ଯ୍ୟ ହେଲେ । ମଫସଲୀ ପିଲାଟିଏ ନ୍ୟାୟ ପାଇଁ ଇଂରେଜ ହାକିମଙ୍କ ପାଖକୁ ଯିବା କଣ କମ୍ କଥା ? ସେଇଠୁ ଜଣାପଡ଼ିଲା, ଭବିଷ୍ୟତରେ ସେ କେତେ ନିର୍ଭୀକ ଓ ନ୍ୟାୟବାନ ନ ହେବେ ?

 

ଭବିଷ୍ୟତରେ ସେହି ଛାତ୍ର ବି.ଏ., ଏମ୍.ଏ. ଓ ଲ ପାଶ୍ କରି ମସ୍ତବଡ଼ ଓକିଲ ହୋଇଥିଲେ ।

Image

 

ଘୋଡ଼ା ଓ ଘୋଡ଼ୀ

 

ସେତେବେଳେ ଇଂରେଜ ସରକାରଙ୍କ ଶାସନ ।

 

ଇଂରେଜ ସରକାରଙ୍କ କଡ଼ା ନିୟମକାନୁନ । ଭାରତୀୟମାନଙ୍କୁ ସବୁ ଦିଗରୁ କାବୁ କରିବାକୁ ଯାବତୀୟ ନିୟମ ଖଞ୍ଜା ଯାଇଥାଏ । ନିୟମରୁ ଟିକିଏ ବ୍ୟତିକ୍ରମ ହେଲେ ଆଉ ରକ୍ଷା ନାହିଁ । ନିୟମ ଭାଙ୍ଗିଥିବା ଲୋକ ଜେଲ ଜୋରିମାନା ଭୋଗିବା ସାର ।

 

ଇଂରେଜମାନଙ୍କ ଆଖିରେ ଭାରତୀୟମାନେ ଖୁବ୍ ସାନ । କାରଣ ସେମାନଙ୍କ ଶରୀର ଇଂରେଜମାନଙ୍କ ପରି ଗୋରା ନୁହେଁ କଳା । କଳା ଲୋକମାନେ ଗୋରା ଲୋକମାନଙ୍କ ସଙ୍ଗେ କୌଣସି ଗୁଣରେ ସମାନ ହୋଇ ପାରିବେ ନାହିଁ ବୋଲି ସେମାନଙ୍କର ଧାରଣା ।

 

ଥରେ ଇଂରେଜ ସରକାର ଘୋଷଣା କଲେ, ଭାରତୀୟମାନେ ଘୋଡ଼ାରେ ଚଢ଼ି ଯିବା ଆସିବା କରି ପାରିବେ ନାହିଁ । ଯେଉଁ ଭାରତୀୟ ଘୋଡ଼ାରେ ଚଢ଼ି ଯିବା ଆସିବା କରିବ, ସେ କଠିନ ଦଣ୍ତ ପାଇବ ।

 

ଏହି ନୂଆ ଘୋଡ଼ା ଚଢ଼ା ନିୟମ ଭାରତର ସବୁଆଡ଼େ ହଇଚଇ ସୃଷ୍ଟି କଲା । ଲୋକମାନେ ଏ ପ୍ରକାର ନିୟମ ଶୁଣି ଅସନ୍ତୁଷ୍ଟ ହେଲେ । କିନ୍ତୁ ସରକାରଙ୍କ ବିରୁଦ୍ଧରେ କିଏ ଆସି ଛିଡ଼ା ହେବ ? ମନର କଥା ମନରେ ମାରି ସଭିଏଁ ମଉନ ହେଲେ ।

 

ଘୋଡ଼ା ଚଢ଼ା ନିୟମର ପ୍ରତିବାଦ କରିବା ପାଇଁ ଭାରତୀୟ ଓକିଲମାନେ ସଭା କଲେ । ବହୁ ବଡ଼ ବଡ଼ ଓକିଲ ସେ ସଭାରେ ଉପସ୍ଥିତ ଥିଲେ ବି’ ଭାବି ସେ ମାଳୀକୁ ସତର୍କ କରିଦେବା ଉଦ୍ଦେଶ୍ୟରେ ପ୍ରଶ୍ନ କଲେ, “ପୁଂଲଦାନୀ ବଦଳରେ ପିକଦାନୀରେ ଫୁଲତୋଡ଼ା ରଖିଲ ଯେ ।”

 

ମାଳୀ କିନ୍ତୁ ଅଭ୍ୟସ୍ତ କଣ୍ଠରେ ଉତ୍ତର ଦେଲା, “ଏଇ ପିକଦାନୀଟା ତ ବାବୁଙ୍କର ଫୁଲଦାନୀ !!”

 

ମଧୁସୂଦନ ଯଥାସମୟରେ ପଢ଼ାଘରକୁ ଆସି ଆଗନ୍ତୁକଙ୍କୁ ସାକ୍ଷାତ କଲେ ।

 

କିନ୍ତୁ ଆଗନ୍ତୁକ ଜଣକର ମନ ଥାଏ ସେହି ପିକଦାନୀ ଉପରେ । ପ୍ରକାଶ୍ୟରେ କହିଲେ, “ମାଳୀଜଣକ ସଜଫୁଟା ଗୋଲାପତକ ଫୁଲଦାନୀରେ ନ ରଖି ପିକଦାନୀରେ ରଖିଲା ଯେ ।”

 

ମଧୁସୂଦନ ଆଗନ୍ତୁକଙ୍କ ମନର କଥା ସଠିକ ଭାବରେ ବୁଝିନେଲେ । ସେ ହସି ହସି କହିଲେ “ଓଡ଼ିଆ ଜାତିର ଯାହା ପିକଦାନୀ, ପାଶ୍ଚାତ୍ୟ ବଜାରରେ ସେ ସବୁ ଖୁବ୍ ମୂଲ୍ୟବାନ ଫୁଲଦାନୀ । ଓଡ଼ିଆ ଜାତି ଫୁଲଦାନୀକୁ ପିକଦାନୀ ରୂପରେ ବ୍ୟବହାର କରେ । ତାହା ହିଁ ତ ଓଡ଼ିଆ ଜାତିର ଦୁର୍ଭାଗ୍ୟ !

 

ଯୁଗଜନ୍ମା ମହାପୁରୁଷମାନେ ଅତି ତୁଚ୍ଛ ଜିନିଷ ଭିତରେ ଖୁବ୍ ବଡ଼ ବଡ଼ କଥା ଦେଖି ପାରନ୍ତି । ସାମାନ୍ୟ ଜିନିଷକୁ ଆଳ କରି ଖୁବ୍ ବଡ଼ ସମସ୍ୟାର ଅବତାରଣା କରନ୍ତି । ସୂକ୍ଷ୍ମ ପର୍ଯ୍ୟାଲୋଚନ ସଙ୍ଗେ ପ୍ରଖର ବୁଦ୍ଧିର ଅଭିବ୍ୟକ୍ତି ସେମାନଙ୍କ ବ୍ୟକ୍ତିତ୍ୱର ବିଶିଷ୍ଟ ଅଂଶ ।

 

ମଧୁସୂଦନ ଏହି ପିକଦାନୀ ମାଧ୍ୟମରେ ଓଡ଼ିଆ ଜାତିକୁ ଚେତାଇ ଦେବା ପାଇଁ ସଂକଳ୍ପ କରିଥିଲେ । ସେ କହିବାକୁ ଚାହୁଁଥିଲେ ଓଡ଼ିଆ ଜାତି ନିଜ ବୁଦ୍ଧି, କୌଶଳ ଯଥାର୍ଥଭାବରେ ପ୍ରୟୋଗ କରି ଶିଖି ନାହିଁ । ସେଇଥିପାଇଁ ଏ ଜାତିଟା ଏତେ ପଛରେ ପଡ଼ିରହିଛି ।

Image

 

ନିର୍ଭିକ ଛାତ୍ର

 

କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମ । ସେଇଠି ମଧୁସୂଦନଙ୍କ ଜନ୍ମ । ସେହି ଗାଁ ଚାଟଶାଳୀରେ ତାଙ୍କର ପାଠ ପଢ଼ା ଆରମ୍ଭ ।

 

ଛୋଟବେଳେ ମଧୁସୂଦନଙ୍କ ନାଁ ଥିଲା ଗୋବିନ୍ଦବଲ୍ଲଭ । ଗୋବିନ୍ଦବଲ୍ଲଭ ଝିଅ ପିଲାଙ୍କ ପରି ଲମ୍ବା ବାଳ ରଖିଥିଲେ, କାନରେ ହଳେ ନୋଳି ପିନ୍ଧିଥିଲେ ଓ ପୁରୁଣାକାଳିଆ ଫତେଇ ଜାମା ପିନ୍ଧି ଚାଟଶାଳୀକୁ ଯାଉଥିଲେ । ସେ ଜାମାରେ ବୋତାମ ଲାଗୁ ନ ଥିଲା । ଜାମାକୁ ଡୋରରେ ଅଣ୍ଟା ପାଖରେ ବନ୍ଧା ହେଉଥିଲା । ସେଦିନର ସେହି ବେଶ ପୋଷାକ ଦେଖିଲେ ଏବେ ହସ ମାଡ଼ିବ ।

 

ଆଉ ମଧୁବାବୁଙ୍କ ଚାଟଶାଳୀ ? ସେଇଟି ଏକ ନୂଆଣିଆ ଚାଳଘର । ସିଲଟ କି ସିଲଟଖଡ଼ି ଦେଖିବାକୁ ସପନ । ମୁଣ୍ତା ଖଡ଼ି ପଥରରେ ଭୂଇଁ ଉପରେ ମାଡ଼ି ବସି ଅକ୍ଷର ଶିଖିବା କଥା । ଅକ୍ଷର ଶିଖି ସାରିଲେ ତାଳପତ୍ର ଉପରେ ଲେଖନରେ ଲେଖିବା କଥା । ଏବର ବହିପତ୍ର କଥା ଶୁଣେ କିଏ ? ଗୋପୀଭାଷା, ଚଉତିଶା, ବୈଦେହୀଶ ବିଳାସ, ମଥୁରାମଙ୍ଗଳ, ତାଳପତ୍ର ପୋଥିରେ ଲେଖା ହୋଇଛି । ତାକୁଇ ପଢ଼ି ମୁଖସ୍ଥ କର ।

 

ଆଉ ଅବଧାନେ ? ସେ ସେହି ଚାଟଶାଳୀର ସର୍ବେସର୍ବା । ଥରଟିଏ ହାତରେ ବେତ ହଲାଇ ଦେଲେ ପିଲାମାନେ ଛାନିଆ ।

 

ଏହିପରି ଏକ ଚାଟଶାଳୀ ପାଠ ଶେଷ କରି ମଧୁବାବୁ କଟକର କଲେଜିଏଟ୍ ସ୍କୁଲରେ ଭର୍ତ୍ତି ହେଲେ ।

 

ସରକାରଙ୍କ ବିରୁଦ୍ଧରେ ପଦେ ହେଲେ କଥା କହିଲେ ନାହିଁ । ଆଉ କେତେକ ଓକିଲ ଭୟରେ ସଭା ଛାଡ଼ି ପଳାଇ ଗଲେ ।

 

ସେତେବେଳେ ମଧୁବାବୁ ଆଇନ ବ୍ୟବସାୟରେ ନୂଆ କରି ପାଦ ପକାଇ ଥାନ୍ତି । ସଭାର ଉଦ୍ଦେଶ୍ୟ ଓ ଲୋକଙ୍କର ମତିଗତି ଦେଖି ସେ ଦୁଃଖ ପ୍ରକାଶ କଲେ । ତାପରେ ସଭାରେ ଘୋଷଣା କଲେ, ସେ ନିଜେ ଏକାକୀ ଏ ନିୟମ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ନେବେ । ଏଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ ।

 

ମଧୁବାବୁଙ୍କ ଘୋଷଣା ଶୁଣି କେତେକ ଓକିଲ ଥଟ୍ଟା ପରିହାସ କଲେ ତ ଆଉ କେତେକ ଓକିଲ ଆଶ୍ଚର୍ଯ୍ୟ ପ୍ରକାଶ କଲେ । ଏହିପରି ଭାବରେ ପ୍ରତିବାଦ ସଭା ଶେଷ ହେଲା ।

 

ପରଦିନ ଦେଖାଗଲା, ମଧୁବାବୁ ଗୋଟିଏ ଘୋଡ଼ୀ ଉପରେ ବସି କଚେରୀକୁ ଆସିଛନ୍ତି-

 

ସଙ୍ଗେ ସଙ୍ଗେ ମଧୁବାବୁ ଓ ଘୋଡ଼ୀ ଧରାହେଲେ । ନିୟମ ଅନୁସାରେ ତାଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିଲା ।

 

କଚେରୀରେ ଜଜ୍ ସାହେବ ପଚାରିଲେ, ଭାରତୀୟମାନେ ଘୋଡ଼ା ଚଢ଼ି ପାରିବେ ନାହିଁ ବୋଲି ନିୟମ କରା ଯାଇଛି । ତୁମେ ସେ ନିୟମ ଭାଙ୍ଗିଛ । ତେଣୁ ଦୋଷୀ ହିସାବରେ ଦଣ୍ତ ପାଇବ ।

 

ମଧୁବାବୁ ନିର୍ଭୟରେ କହିଲେ, ମୁଁ ଘୋଡ଼ା ଚଢ଼ିନାହିଁ । ତେଣୁ ଦୋଷୀ ନୁହେଁ । ଦଣ୍ତ ପାଇବା କଥାହିଁ ଉଠୁନାହିଁ । ଘୋଡ଼ା ଚଢ଼ିଛ ବୋଲି ପ୍ରମାଣ କରିଦେଲେ ଅବଶ୍ୟ ଦଣ୍ତ ଭୋଗ କରିବି ।

 

ବିଚାରପତିଙ୍କ ଆଦେଶ ମୁତାବକ ମଧୁବାବୁ ଚଢ଼ି ଆସିଥିବା ଘୋଡ଼ାକୁ କଚେରୀରେ ହାଜର କରାଗଲା ।

 

ବିଚାରପତି ମଧୁବାବୁଙ୍କୁ ଲକ୍ଷ୍ୟ କରି କହିଲେ, ଏଇଟି କାହାର ?

 

ଆଜ୍ଞା ମୋର ! ମଧୁବାବୁ କହିଲେ ।

 

ଏହାରି ଉପରେ ଚଢ଼ି କଚେରୀକୁ ଆସିଥିଲ ତ ? ବିଚାରପତି ପ୍ରଶ୍ନ କଲେ ।

 

ଆଜ୍ଞା ହଁ, ୟାରି ଉପରେ ଚଢ଼ି କଚେରୀକୁ ଆସିଥିଲି । ମଧୁବାବୁ କହିଲେ ।

 

ଭାରତୀୟମାନେ ଘୋଡ଼ା ଚଢ଼ିଲେ ଦଣ୍ତ ପାଇବେ ବୋଲି ସରକାର ନିୟମ କରିଛନ୍ତି । ତେଣୁ ତୁମେ ଦଣ୍ତ ପାଇବ । ବିଚାରପତି ଜଣାଇ ଦେଲେ ।

 

ଆଜ୍ଞା, ସେ ନିୟମ କଥା ମୁଁ ଜାଣେଁ । ସେଥିପାଇଁ ଘୋଡ଼ାରେ ନ ଚଢ଼ି ଘୋଡ଼ୀ ଉପରେ ଚଢ଼ି କଚେରୀକୁ ଆସିଥିଲି । ଇଂରେଜ ସରକାର ଭାରତୀୟମାନେ ଘୋଡ଼ୀ ଚଢ଼ି ପାରିବେ ନାହିଁ ବୋଲି ନିୟମ କରି ନାହାନ୍ତି । ତେଣୁ ମୋତେ ଦଣ୍ତ ଦିଆଯିବ କାହିଁକି ?

 

ବିଚାରପତି ମଧୁବାବୁଙ୍କ ଯୁକ୍ତି ଶୁଣି ହତବାକ୍ ହେଲେ । ସେ ସଙ୍ଗେ ସଙ୍ଗେ ତାଙ୍କୁ ଓ ଘୋଡ଼ୀକୁ ନିର୍ଦ୍ଦୋଷରେ ଖଲାସ କରିଦେଲେ ।

 

ମଧୁବାବୁଙ୍କର ବୁଦ୍ଧି ଦେଖି ଉପସ୍ଥିତ ଜନତା ଆଶ୍ଚର୍ଯ୍ୟ ହେଲେ । ସମସ୍ତଙ୍କ ମୁହଁରେ ତାଙ୍କର ପ୍ରଶଂସା ଦେଖାଗଲା ।

 

ଏହି ଘଟଣାର ଅଳ୍ପ କିଛି ଦିନପରେ ଇଂରେଜ ସରକାର ଭାରତୀୟମାନଙ୍କର ଘୋଡ଼ା ଚଢ଼ା ନିୟମ ଉଠାଇଦେଲେ ।

Image

 

ଧନ ବଡ଼ ନା ମାନ ବଡ଼ ?

 

ମଧୁସୂଦନ ଜଣେ ଖାଣ୍ଟି ଓଡ଼ିଆ ଥିଲେ । ଓଡ଼ିଆମାନଙ୍କ ଗୌରବ ରକ୍ଷା ପାଇଁ ତାଙ୍କର ପ୍ରାଣ କାନ୍ଦୁଥିଲା । ସେତେବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ସମ୍ମାନ ଦିଆ ନ ଯାଇ, କେତେବେଳେ ବଙ୍ଗ ତ କେତେବେଳେ ବିହାର ସଙ୍ଗେ ଯୋଡ଼ି ଦିଆ ଯାଉଥିଲା । ତେଣୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଇଁ ସେ ପୂରା ଦମରେ ଆନ୍ଦୋଳନ ଆରମ୍ଭ କରିଥିଲେ ।

 

ଓଡ଼ିଶା ପାଇଁ ମଧୁସୂଦନଙ୍କ ପ୍ରାଣ କାନ୍ଦି ଉଠୁଥିଲା । ସେ ସବୁବେଳେ କହୁଥିଲେ, ଓଡ଼ିଆମାନେ ସବୁକ୍ଷେତ୍ରରେ ସ୍ୱୟଂସଂପୂର୍ଣ୍ଣ ହେବା ଉଚିତ । ତେଣୁ ନିଜ ପିନ୍ଧା ଲୁଗା ନିଜେ ନ ବୁଣିଲେ, ନିଜ ଜିନିଷ ବାହାରେ ବିକ୍ରି ନ କଲେ, ସେମାନେ ଚିରଦିନ ଦରିଦ୍ର ହୋଇ ବସିଥିବେ ।

 

ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ମଧୁବାବୁ ‘ଉତ୍କଳ ଟାନେରୀ’ ପ୍ରତିଷ୍ଠା କଲେ ।

 

ଏହି ଉତ୍କଳ ଟାନେରୀରେ ଓଡ଼ିଆମାନେ ବହୁ ସଂଖ୍ୟାରେ ନିଯୁକ୍ତି ଲାଭ କରିଥିଲେ ଓ ଏଥିରୁ ଲକ୍ଷ ଲକ୍ଷ ଟଙ୍କାର ଯୋତା ଓଡ଼ିଶା ବାହାରକୁ ପଠା ଯାଉଥିଲା । କ୍ରମେ ‘ଉତ୍କଳ ଟାନେରୀ’ ନାମ ବାହାରେ ସୁନାମ ଅର୍ଜନ କଲା ।

 

‘ଉତ୍କଳ ଟାନେରୀ’ ବାହାରେ ସୁନାମ ଅର୍ଜନ କରିବା ଦେଖି ମଧୁସୂଦନ ଖୁବ୍ ଖୁସି ହେଲେ । ଦେଶ ବିଦେଶରେ ଏହାର ସୁନାମ ବଜାୟ ରଖିବା ପାଇଁ ସେ ଦୃଢ଼ ସଂକଳ୍ପ ହେଲେ ।

 

ଥରକର କଥା–

 

‘ଉତ୍କଳ ଟାନେରୀ’ର ଯୋତାକୁ ସେ ନିଜେ ତନ୍ନ ତନ୍ନ କରି ପରୀକ୍ଷା କରି ଦେଖୁଥିଲେ । ଏହାର ଉନ୍ନତ ‘ମାନ’ ରକ୍ଷା କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । କାରଣ ‘ଉତ୍କଳ ଟାନେରୀ’ ସଙ୍ଗେ ଓଡ଼ିଆ ଜାତିର ମାନ ସମ୍ମାନ ଯୋଡ଼ି ହୋଇଥିବା କଥା ସେ ଉପଲବ୍ଧି କରିଥିଲେ ।

 

ସେଥର ସେ ‘ଉତ୍କଳ ଟାନେରୀ’ ଦ୍ୱାରା ପ୍ରସ୍ତୁତ ଯୋତା ହଳେ ପରୀକ୍ଷା କରି ଦେଖୁ ଦେଖୁ ତହିଁରେ ସାମାନ୍ୟ ତ୍ରୁଟି ଥିବା କଥା ଜାଣି ପାରିଲେ । ଏହାପରେ ମଧୁବାବୁଙ୍କୁ ଆଉ ସମ୍ଭାଳେ କିଏ ? ସେ ରାଗରେ ଲାଲ ପଡ଼ିଗଲେ । ସୋ’ ରୁମରେ ଥିବା ସେହି ଡିଜାଇନ୍‍ର ସମସ୍ତ ଯୋତା ନଷ୍ଟ କରି ଦେବା ପାଇଁ ସେ ସେହି ମୁହୂର୍ତ୍ତରେ ଆଦେଶ ଦେଲେ ।

 

ମଧୁବାବୁଙ୍କ ଆଦେଶ ଅମାନ୍ୟ କରିବ କିଏ ? ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ମଧୁବାବୁଙ୍କୁ ଥଙ୍ଗେଇ ଥଙ୍ଗେଇ ନେହୁରା କଲେ, ହଳେ ଯୋତାର ସାମାନ୍ୟ ତ୍ରୁଟି ରହିଗଲା ବୋଲି, ସମୁଦାୟ ଯୋତା ନଷ୍ଟ କରିଦେବା କଣ ଉଚିତ ହେବ ? ଏହା ଫଳରେ ଅନୁଷ୍ଠାନ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ । ଆପଣ ଆଉ ଥରେ ବିଚାର କରି ଦେଖନ୍ତୁ ।

 

ମଧୁବାବୁ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ଲାଭ କ୍ଷତି କଥା ମୁଁ ବୁଝିବି । ଆର୍ଥିକ କ୍ଷତି ଆଳରେ ମୁଁ ଉତ୍କଳ ଟାନେରୀର ମାନ ସମ୍ମାନକୁ ନଷ୍ଟ କରି ପାରିବି ନାହିଁ ।

 

ମଧୁବାବୁଙ୍କ ଆଦେଶ ସଙ୍ଗେ ସଙ୍ଗେ ପାଳିତ ହେଲା ।

 

(ଦୁଇ)

 

ଆଉ ଥରକର କଥା–

 

ସେଥର କଲିକତାର ଗୋଟିଏ ସାହେବ ପରିଚାଳିତ କମ୍ପାନୀର କର୍ମଚାରୀ ଆସି ‘ଉତ୍କଳ ଟାନେରୀ’ରେ ପହୁଞ୍ଚିଲେ । ସେ ସୋ’ ରୁମ୍‍ର ଯୋତା ଦେଖି ଖୁବ୍ ଖୁସି ହେଲେ ଓ ମଧୁବାବୁଙ୍କୁ ଅଜସ୍ର ପ୍ରଶଂସା କଲେ । ତା’ପରେ ଲକ୍ଷେ ଟଙ୍କାର ଯୋତା ପାଇଁ ବରାଦ କଲେ ।

 

ମଧୁବାବୁ ଉତ୍କଳ ଟାନେରୀ ପକ୍ଷରୁ ସାହେବ ପରିଚାଳକଙ୍କୁ ଅନେକ ଧନ୍ୟବାଦ ଦେଲେ ।

 

ହସ ଖୁସିରେ କିଛି ସମୟ ବିତିଗଲା ।

 

ସାହେବ କର୍ମଚାରୀ ବିଦାୟ ନେଲାବେଳେ ମଧୁବାବୁଙ୍କୁ ଅନୁରୋଧ କଲେ ଲକ୍ଷେ ଟଙ୍କାର ଯୋତା ଅବଶ୍ୟ କିଣାଯିବ । ଆପଣ ଚାହିଲେ ଆଗୁଆ ଟଙ୍କା ବି’ ଦିଆଯିବ । କିନ୍ତୁ ଗୋଟିଏ କଥା, ଆପଣ ଦୟାକରି ସେହି ଯୋତାମାନଙ୍କରେ ‘ଉତ୍କଳ ଟାନେରୀ’ ମୋହର ନ ଦେଇ ଆମ କମ୍ପାନୀର ମୋହର ମାରିଦେବେ । ବାସ୍, ସେତିକି ।

 

ଏ ପ୍ରସ୍ତାବ ଶୁଣି ମଧୁବାବୁଙ୍କ ମୁହଁର ରଙ୍ଗ ଲାଲ ପଡ଼ିଗଲା । ସେ ସାହେବ କର୍ମଚାରୀଙ୍କୁ କହିଲେ, ଆପଣ ଯୋତା କିଣନ୍ତୁ କି ନ କିଣନ୍ତୁ, ସେଥିରେ କିଛି ଯାଏ ଆସେ ନାହିଁ । ‘ଉତ୍କଳ ଟାନେରୀ’ ଦ୍ୱାରା ପ୍ରସ୍ତୁତ ଯୋତାରେ ଉତ୍କଳ ଟାନେରୀର ମୋହର ଅବଶ୍ୟ ରହିବ ।

 

ସାହେବ ଏଥିରେ ରାଜି ହେଲେ ନାହିଁ ।

 

ଲକ୍ଷେ ଟଙ୍କାର ଯୋତା ବିକିବା ଆଉ ସମ୍ଭବ ହେଲା ନାହିଁ ।

 

ମଧୁବାବୁ “ଉତ୍କଳ ଟାନେରୀ” କର୍ମଚାରୀମାନଙ୍କୁ କହିଲେ, ଦୁନିଆରେ ଧନ ବଡ଼ ନୁହେଁ, ବଡ଼ ହେଲା ଜାତି ଓ ଦେଶର ମାନ । ଧନ ପାଇଁ ଯେ ମାନ ସମ୍ମାନକୁ ଭୁଲିଯାଏ ସେ ହୀନ ।

Image

 

ଯେସାକୁ ତେସା

 

ମଧୁବାବୁ ସେତେବେଳେ ମନ୍ତ୍ରୀ ଥାନ୍ତି ।

 

ମନ୍ତ୍ରୀଙ୍କ ପାଖରେ ଇଂରେଜ ସରକାର ଜଣେ ଜଣେ ସାହେବ ସେକ୍ରେଟାରୀ ରଖିଥାନ୍ତି । ସେହି ସୂତ୍ରରେ ମନ୍ତ୍ରୀ ମଧୁବାବୁଙ୍କ ପାଖରେ ଜଣେ ସାହେବ ସେକ୍ରେଟାରୀ କାମ କରୁଥାନ୍ତି ।

 

ସେ କାଳରେ ଇଂରେଜମାନେ ଭାରତ ଶାସନ କରୁଥାନ୍ତି । ଇଂରେଜମାନଙ୍କ ହାତରେ ଅଖଣ୍ତ କ୍ଷମତା । ସେମାନଙ୍କ ପାଇଁ ଚାରିଖୁଣ ମାଫ୍ । ଯାହା ଇଚ୍ଛା କରିବେ କହିବେ, ଯାହା ମନ ତାହା କରିବେ ।

 

ଇଂରେଜମାନେ ଭାରତୀୟମାନଙ୍କୁ ଖୁବ୍ ହୀନ ଆଖିରେ ଦେଖୁଥିଲେ । ସେମାନଙ୍କୁ ଯା’ ଇଚ୍ଛା ତାହା ଗାଳି ଗୁଲଜ କରୁଥିଲେ । ପାଖକୁ ଆସିଲେ ଦୂର୍ ଦୂର୍ ମାର୍ ମାର୍ କରୁଥିଲେ । ସେମାନଙ୍କ ତଳେ କାମ କରୁଥିବା କିରାନୀମାନଙ୍କୁ କୁକୁର ବିଲେଇ ପରି ବ୍ୟବହାର କରୁଥିଲେ ।

 

ମନ୍ତ୍ରୀ ମଧୁବାବୁଙ୍କ ସାହେବ ସେକ୍ରେଟାରୀ ନିଜକୁ ଖୁବ୍ ବଡ଼ ମନେ କରୁଥିଲେ । ଭାରତୀୟମାନଙ୍କ ପ୍ରତି ତାଙ୍କ ମନରେ କେବଳ ଘୃଣାଥିଲା । କିରାନୀମାନେ ତାଙ୍କ ପାଖକୁ କୌଣସି କାମରେ ଆସିଲେ ସେମାନଙ୍କ ପ୍ରତି ଉଦ୍ରୋଜନୋଚିତ ବ୍ୟବହାର ଦେଖାଇବା ତ ଦୂରର କଥା, ଘଣ୍ଟା ଘଣ୍ଟା ଧରି ଠିଆ କରାଇ ଦେଉଥିଲେ ।

 

ମଧୁବାବୁ ଏ ସବୁ କଥା ନିଜ ଆଖିରେ ଦେଖି ଖୁବ୍ ବିରକ୍ତ ହେଲେ ଓ ସାହେବ ସେକ୍ରେଟାରୀଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ସ୍ଥିର କଲେ ।

 

ଦିନେ ସେ ତାଙ୍କ ଅଫିସ ଘରୁ ସମସ୍ତ ଚୌକୀ କାଢ଼ି ନେଇଯିବାକୁ ଆଦେଶ ଦେଲେ ଓ ନିଜେ ନିଜର ଚୌକି ଉପରେ ବସି ସାହେବ ସେକ୍ରେଟାରୀଙ୍କୁ କାଗଜ ପତ୍ର ନେଇ ଆସିବାକୁ କହିଲେ ।

 

ସେକ୍ରେଟାରୀ ଦରକାରୀ କାଗଜ ପତ୍ର ନେଇ ମନ୍ତ୍ରୀଙ୍କ ପାଖକୁ ଆସିଲେ । ମନ୍ତ୍ରୀଙ୍କ ଘରେ ଅଧିକା ଚୌକି ନଥିବା ଦେଖି ବାଧ୍ୟ ହୋଇ ଛିଡ଼ା ହେଲେ ଓ ସରକାରୀ କାଗଜ ପତ୍ର ଦେଖାଇ ଦସ୍ତଖତ କରାଇଲେ ।

 

ଏହିପରି ଭାବରେ ଦୁଇ ତିନି ଘଣ୍ଟା କାମ ଚାଲିଲା ।

 

ସାହେବ ଛିଡ଼ା ହୋଇଥାନ୍ତି ଓ ମନ୍ତ୍ରୀଙ୍କୁ କାଗଜ ପତ୍ର ଦେଖାଉ ଥାନ୍ତି । ସାହେବ ଛିଡ଼ା ହୋଇଥିଲେ ମଧ୍ୟ ମନ୍ତ୍ରୀ ମଧୁବାବୁ ତାଙ୍କୁ ବସିବାକୁ କହୁ ନ ଥାନ୍ତି ।

 

କାମ ଶେଷ ହେଲା ବେଳକୁ ସାହେବ ସେକ୍ରେଟାରୀଙ୍କ ମୁହଁ ଲାଲ ପଡ଼ି ଯାଇଥାଏ । ଅବଶେଷରେ ସାହେବ ସେକ୍ରେଟାରୀ ମଧୁବାବୁଙ୍କ ମନର କଥା ବୁଝିଗଲେ । ସେ ଅନୁଭବ କଲେ, ଅଧୀନସ୍ଥ କର୍ମଚାରୀମାନଙ୍କୁ ସେ ଯେଉଁ ଦଣ୍ତ ଦେଇ ଆସୁଥିଲେ, ସେ ଦିନ ତାଙ୍କୁ ସେହି ଦଣ୍ତ ଭୋଗ କରିବାକୁ ପଡ଼ିଲା । କିନ୍ତୁ ମଧୁବାବୁଙ୍କ ଆଗରେ ମୁହଁ ଫିଟାଇ ଏ ପ୍ରକାର କାର୍ଯ୍ୟର ପ୍ରତିବାଦ କରିବାକୁ ତାଙ୍କର ସାହସ ନ ଥିଲା । ସେ ତାଙ୍କୁ ପ୍ରାଣେ ଭୟ କଲେ ।

 

ସେହି ଦିନଠୁ ସାହେବ ସେକ୍ରେଟାରୀଙ୍କ ବ୍ୟବହାରରେ ମଧ୍ୟ ଉଲ୍ଲେଖ ଯୋଗ୍ୟ ପରିବର୍ତ୍ତନ ଦେଖାଗଲା । ସେ ଅଧୀନସ୍ଥ କର୍ମଚାରୀମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କଲେ ।

Image

 

କାଉଁରିଆ କାଠି

 

୧୯୨୧ ମସିହାର କଥା–

 

ସେତେବେଳେ ମଧୁବାବୁ ବିହାର-ଓଡ଼ିଶା ମନ୍ତ୍ରୀ ମଣ୍ତଳର ଜଣେ ଟାଣୁଆ ମନ୍ତ୍ରୀ ଥିଲେ । ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସେ ପ୍ରାଣପଣେ ଉଦ୍ୟମ କରୁଥିଲେ ।

 

ସେହି ସମୟର ଘଟଣା ।

 

ମଧୁବାବୁ ବାଲେଶ୍ୱରରେ ଆୟୋଜିତ ଏକ ସଭାରେ ଭାଷଣ ଦେବାକୁ ଯାଇଥାନ୍ତି । ମଧୁବାବୁଙ୍କ ଭାଷଣ ଶୁଣିବା ପାଇଁ ସାଧାରଣ ସଭାରେ ନାହିଁ ନ ଥିବା ଭିଡ଼ ଜମିଥାଏ । ମଧୁବାବୁ ଭାଷଣ ପ୍ରସଙ୍ଗରେ କହିଲେ “ପ୍ରତ୍ୟେକ ଲୋକ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଛାଡ଼ି ଦେଶ ପାଇଁ କାମ କରିବା ଉଚିତ” ।

 

ମଧୁବାବୁଙ୍କ କଥା ଶୁଣି ପାଖରେ ବସିଥିବା ଲୋକମାନେ କୁହାକୁହି ହେଲେ, ନିଜେ ମନ୍ତ୍ରୀ ପଦରେ ବସି ଅନ୍ୟକୁ ସ୍ୱାର୍ଥ ଛାଡ଼ିବା ଓ ଦେଶ ପାଇଁ କାମ କରିବାକୁ ଉପଦେଶ ଶୁଣାଇବା ଅତି ସହଜ କଥା ।

 

ମଧୁସୂଦନଙ୍କ କାନରେ ଏ କଥା ପଡ଼ିଲା । ସେ ଏହି କଥାର ମର୍ମକୁ ବେଶ୍ ଭାବରେ ଉପଲବ୍ଧି କଲେ ।

 

ସେହି ବର୍ଷ ସେ ସରକାରଙ୍କୁ ଜଣାଇଦେଲେ ଯେ, ସେ ଦରମା ନ ନେଇ ମନ୍ତ୍ରୀ ରହିବେ-

 

କିନ୍ତୁ ସରକାର ମଧୁବାବୁଙ୍କ ପ୍ରସ୍ତାବ ଗ୍ରହଣ କଲେ ନାହିଁ ।

 

ତାଙ୍କ ପ୍ରସ୍ତାବ ଗୃହୀତ ନ ହେବାରୁ ମଧୁବାବୁ ୧୯୨୩ ମସିହାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଚାଲି ଆସିଲେ ।

 

ସେତେବେଳେ ସେ ମନ୍ତ୍ରୀ ହିସାବରେ ବର୍ଷକୁ ଚୌଷଠୀ ହଜାର ଟଙ୍ଗା ପାଉଥିଲେ ଆଜିକାଲି ହିସାବରେ ତାହା କେତେ ଲକ୍ଷ ଟଙ୍କାରୁ କମ୍ ହେବ ନାହିଁ । କିନ୍ତୁ ଅସଲ ତଥାହେଲା, ମାନ ସମ୍ମାନ ଆଗରେ ଟଙ୍କା ପଇସା ବଡ଼କଥା ନୁହେଁ । ମଧୁବାବୁକି ଟଙ୍କାରେ ଭଳିଯିବା ଲୋକ ?

 

କଥାରେ ଅଛି କାଉଁରିଆ କାଠି ଭାଙ୍ଗିଯିବି ପଛେ ନଇଁବ ନାହିଁ ।

 

ନିଜ କଥା ନ ରହିବାରୁ ମଧୁବାବୁ ମନ୍ତ୍ରୀ ପଦକୁ ଗୋଇଠା ମାରି ଆଡ଼େଇ ଦେଲେ ।

 

ଆଜି ସାରା ଜଗତରେ ମଧୁବାବୁଙ୍କ ପରି ଲୋକ ଖୋଜିଲେ, କେଇଜଣ ବାହାରିବେ ?

Image